ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ବର: ଲୋକଙ୍କ ଜିଲ୍ଲାପାଳ ଭାବେ ପରିଚିତ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେ ଏବେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ରହିବା ସମୟରେ ସେ ଅନେକ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି ।

କରୋନା ମହାମାରୀର ସବୁଠୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖାଯାଇଥିଲା । ହେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଢ ନେତୃତ୍ବ କାରଣରୁ କରୋନାର ପ୍ରଭାବ ଜିଲ୍ଲାରେ ହ୍ରାସ ପାଇଥିଲା ।

ସଫଳ କୋଭିଡ ମ୍ଯାନେଜମେଣ୍ଟ ପାଇଁ ତାଙ୍କୁ କେବଳ ରାଜ୍ଯରେ ନୁହେଁ ବରଂ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଥିଲା । ସେହିପରି ବିଦ୍ୟାଳୟ ରୁପାନ୍ତରିତ କ୍ଷେତ୍ର ହେଉ ବା ଗୋପାଳପୁର ବେଳାଭୂମିର ଉନ୍ନତିକରଣ, ମା ତାରାତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ହେଉ ସବୁଗୁଡିକୁ ସେ ତ୍ବରାନିତ କରିଛନ୍ତି । ବାକି ରହିଯାଇଥିବା କାର୍ଯ୍ୟକୁ ନୂତନ ଜିଲ୍ଲାପାଳ ପୂରଣ କରିବେ ବୋଲି ସେ ଆଶାପୋଷଣ କରିଛନ୍ତି ।

ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ସେ ବେଶ୍ ଉତ୍ସାହିତ ଥିବା କଥା କହିଛନ୍ତି । ଗଞ୍ଜାମରୁ ପାଇଥିବା ଅଭିଜ୍ଞତାକୁ ଭୁବନେଶ୍ବରରେ ଲଗାଇବେ ବୋଲି କହିଛନ୍ତି । ରାଜଧାନୀ ବାସିନ୍ଦାଙ୍କ ପ୍ରମୁଖ ଦାବି ଓ ବିକାଶକୁ ପ୍ରାଧାନ୍ୟ ଦେବେ । ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାର ଶତପ୍ରତିଶତ ସଫଳ ରୂପାୟନ କରିବାକୁ ଚେଷ୍ଟା କରିବେ ।

ନିକଟରେ ମହାନଗର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ମିଶି ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ । ଭୁବନେଶ୍ବର ଯେହେତୁ ରାଜ୍ୟର ରାଜଧାନୀ କାର୍ଯ୍ୟରେ ଅନେକ ଚ୍ୟାଲେଞ୍ଜ ରହିବ । ଟିମ୍ ୱାର୍କ ଜରିଆରେ କାର୍ଯ ସହଜ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ଯ ଆଜି ମଧ୍ୟାହ୍ନରେ ସେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ କମିଶନର ସଞ୍ଜୟ କୁମାର ସିଂ ବିଏମସି କାର୍ଯ୍ଯାଳୟରେ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.