ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ଏସ୍‌ପିଙ୍କ ବୈଠକ

ପୁରୀ ଘୋଷଯାତ୍ରାକୁ ଆଉ ମାତ୍ର ୧୦ଦିନ ବାକିଥିବା ବେଳେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗର ବରିଷ୍ଠ ସେବାୟତଙ୍କୁ ନେଇ ବୈଠକ କରାଯାଇଛି। ପୋଲିସ ଓ ସେବାୟତଙ୍କ ମଧ୍ୟରେ କିଭଳି ଉତ୍ତମ ସମନ୍ବୟ ରଖାଯାଇ ଶୃଙ୍ଖଳିତ ରଥଯାତ୍ରା କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଏହାସହ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତି କାନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ଥିବା ସେବାୟତ ସାହି ଗୁଡିକରେ ରଥଯାତ୍ରା ସମୟରେ ବ୍ୟାରିକେଡ଼ କିଭଳି କରାଯିବ, ରଥଯାତ୍ରା ସମୟରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟମାନଙ୍କର ଯାତାୟତରେ ଯେଭଳି କୌଣସି ଅସୁବିଧା ନହେବ, ସେବାୟତଙ୍କ ପାସ୍‌ ବ୍ୟବସ୍ଥା, ପ୍ରମୁଖ ଛକମାନଙ୍କରେ ଥିବା ହାଇମାକ୍ସ ଲାଇଟ୍ କିଭଳି କାର୍ଯ୍ୟ କରିବ, ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଆଲୋଚନା ହୋଇଛି ।‌

ସେହିପରି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ସୋନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିର ଭକ୍ତ ନିବାସରେ ଭକ୍ତଙ୍କ ରହଣୀ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କୁ କୋଭିଡ୍‌ର ପ୍ରିକସନ୍ ଡୋଜ୍ ପ୍ରଦାନ, ସେବାୟତଙ୍କୁ ପାସ୍ ବ୍ୟବସ୍ଥା, ଶୃଙ୍ଖଳିତ ନୀତି, ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା।

ଉଭୟ ଜିଲ୍ଲାପାଳ ଓ ଏସପି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ସାହି ବୁଲି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ରଥଯାତ୍ରା ସମୟରେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କ ଜରୁରୀକାଳୀନ ପରିସ୍ଥିତିରେ ଯେଭଳି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି। ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ଓ ସୁରୁଖୁରୁରେ କିଭଳି ରଥଯାତ୍ରା ଶେଷ ହେବ ସେ ନେଇ ଗୁରୁତ୍ଵ ଦିଆଯାଇଛି।

nis-ad
Leave A Reply

Your email address will not be published.