ରାଉରକେଲା : ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ସାଇକ୍ଲୋଥନ କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ରାଉରକେଲା : ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ସ୍ମାର୍ଟ ସିଟି ରାଉରକେଲାରେ ଏକ ‘ସାଇକ୍ଲୋଥନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଠିକ୍ ଭାବେ ଟ୍ରାଫିକ ନିୟମ ପାଳନ କରିବା ସହିତ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବାକୁ ବାର୍ତ୍ତା ଦିଆଯାଇଥିଲା।

ଶନିବାର ସକାଳୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଏବଂ ରାଉରକେଲା ଏସପି ମୁକେଶ ଭାମୁ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ସାମିଲ ହୋଇଥିବା ପ୍ରତିଯୋଗୀମାନେ ସାଇକେଲ ଚଳାଇ ଅମ୍ବାଗାନ ଛକ ଦେଇ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।

ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ସତ୍ୟବ୍ରତ ତ୍ରିପାଠୀ ସାମିଲ ହୋଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ନିଜେ ଫିଟ୍ ରହିବା ସହିତ ପରିବେଶର ସୁରକ୍ଷା ପାଇଁ ସାଇକେଲ ଚଳାଇବା ଆବଶ୍ୟକ। ଏଥିପ୍ରତି ସମସ୍ତ ଜନସାଧାରଣ ସଚେତନ ହେବା ଜରୁରୀ। ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ସରକାର ଟ୍ରାଫିକ ନିୟମ ପ୍ରଣୟନ କରିଛନ୍ତିା ତେଣୁ ଗାଡ଼ି ଚାଳକମାନେ ଏହି ନିୟମକୁ ସଠିକ୍ ଭାବେ ପାଳନ କରନ୍ତୁ।

ସତ୍ୟବ୍ରତ ତ୍ରିପାଠୀ କହିଥିଲେ ଯେ, ଟ୍ରାଫିକ ନିୟମ ପାଳନ କରିବାର ମାନସିକତା ନିଜ ଭିତରେ ସୃଷ୍ଟି ହେବା ଦରକାର। ସରକାର ଲାଗୁ କରିଥିବା ଟ୍ରାଫିକ ନିୟମ ବିଷୟରେ ସମସ୍ତେ ସଚେତନ ରହିବା ଦରକାର। ନିଜେ ସୁରକ୍ଷିତ ରହିଲେ ହିଁ ଗୋଟିଏ ପରିବାର ଏବଂ ରାଜ୍ୟ ସୁରକ୍ଷିତ ରହିପାରିବ।

ଏହି କାର୍ଯ୍ୟକ୍ରମରେ ରାଉରକେଲା ଆରଟିଓ ବିଶ୍ୱରାଜ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜାତୀୟ ସଡ଼କ ସୁରକ୍ଷା-୨୦୨୨ ପାଳନ ଅବସରରେ ରାଉରକେଲାଠାରେ ଦୁଇ ଦିନିଆ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଇଛି। ସଡ଼କ ସୁରକ୍ଷା ଉପରେ ପ୍ରାୟ ୪୨ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

nis-ad
Leave A Reply

Your email address will not be published.