ଆନ୍ଦୋଳନ ପ୍ରଶମିତ କରିବାକୁ ଉଦ୍ୟମ: ପ୍ରତିରକ୍ଷା ବିଭାଗରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ଯୋଜନାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିହାର ଠାରୁ ଆରମ୍ଭ କରି ଓଡ଼ିଶା ଯାଏ ସେନାରେ ଭର୍ତ୍ତି ହେବାକୁ ଲକ୍ଷ୍ୟ ରଖିଥିବା ହଜାର ହଜାର ଯୁବକ ଯୋଜନାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। କିଛି ସ୍ଥାନରେ ଆଶାୟୀମାନେ ପୋଡ଼ାଜଳା ଓ ଭଙ୍ଗା ରୁଜା ମଧ୍ୟ କରିଛନ୍ତି।
ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ଏହିକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିବୀରଙ୍କ ପାଇଁ ନୂଆ ସଂରକ୍ଷଣ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି। ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବିଭାଗରେ ଚାକିରି ମିଳିବ। ସେମାନଙ୍କ ପାଇଁ ୧୦% ପଦ ସଂରକ୍ଷଣ କରି ରଖାଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି।
ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ଶ୍ରୀ ସିଂହ ୩ ସେନା ବାହିନୀର ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ବିଭାଗରେ ୧୦% ଚାକିରି ସଂରକ୍ଷଣ ହୋଇ ରହିବ ବୋଲି ନିଷ୍ପତ୍ତି ହୋଇଛି। ଅଗ୍ନିବୀରମାନଙ୍କ ପାଇଁ ତଟରକ୍ଷୀ ବାହିନୀ, ଡିଫେନ୍ସ ସିଭିଲିଆନ ପୋଷ୍ଟ ଓ ସମସ୍ତ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟରରେ ୧୦% ଚାକିରି ସଂରକ୍ଷିତ ହୋଇ ରହିବ।
ପୂର୍ବରୁ ଏହି ସବୁ କ୍ଷେତ୍ରରେ ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିଲା। ଏବେ ଅଗ୍ନିବୀରଙ୍କ ସଂରକ୍ଷଣ ବ୍ୟବସ୍ଥା ସହ ପୂର୍ବରୁ ଲାଗୁ ହେଉଥିବା ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିରକ୍ଷା ବିଭାଗର ନିୟମରେ ଆବଶ୍ୟକ ସଂଶୋଧନ କରାଯିବ। ଡିଫେନ୍ସ ପବ୍ଲିକ ସେକ୍ଟରଗୁଡ଼ିକୁ ମଧ୍ୟ ଅଗ୍ନିବୀରଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦେବାର ବ୍ୟବସ୍ଥା କରିବାକୁ କୁହାଯାଇଉଛି। ନିଯୁକ୍ତି ବେଳେ ଆବଶ୍ୟକ ବୟସ ସୀମାକୁ ମଧ୍ୟ କୋହଳ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି।
ଏହାପୂର୍ବରୁ ଗୃହ ମନ୍ତ୍ରାଳୟ ମଧ୍ୟ ସେଣ୍ଟ୍ରାଲ ଆର୍ମଡ ପୁଲିସ୍‌ ଫୋର୍ସ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ବେଳେ ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ମିଳିବ ବୋଲି ଘୋଷଣା କରିଥିଲା। ଏଥିସହ ‘ଅଗ୍ନିବୀର’ଙ୍କ ନିଯୁକ୍ତି ବେଳେ ବୟସ ସୀମାକୁ ୩ ବର୍ଷ ଯାଏ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ବେଳେ ବୟସ ସୀମାକୁ ୫ ବର୍ଷ କୋହଳ କରାଯିବ।
‘ଅଗ୍ନିପଥ’ ଯୋଜନାରେ ସ୍ଥଳ, ନୌସେନା ଓ ବାୟୁ ସେନାରେ ଭର୍ତ୍ତି ହେବାକୁ ଥିବା ‘ଅଗ୍ନିବୀର’ଙ୍କୁ CAPF ଓ ଆସାମ ରାଇଫଲ୍ସର ନିଯୁକ୍ତି ବେଳେ ଅଗ୍ରାଧିକାର ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ସ୍ଥଳ ସେନା, ନୌସେନା ଓ ବାୟୁସେନାରେ ନିଯୁକ୍ତି ଦେବା ପାଇଁ ମଙ୍ଗଳବାର ‘ଅଗ୍ନିପଥ’ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଯୋଜନା ଅନୁଯାୟୀ, ଜଣେ ଯୁବକଙ୍କୁ ସେନାରେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ଚଳିତ ବର୍ଷ ପ୍ରାୟ ୪୬ ହଜାର ସୈନ୍ୟଙ୍କୁ ନିଯୁକ୍ତି ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି।
‘ଅଗ୍ନିବୀର’ଙ୍କ ଚୟନ ନିମନ୍ତେ ବୟସ ସୀମା ସାଢେ ୧୭ ବର୍ଷରୁ ସାଢେ ୨୩ ବର୍ଷ ପର୍ଯ୍ୟନ୍ତ ରହିବ। ଏହାପରେ ସେମାନଙ୍କ ମଧ୍ୟରୁ ୭୫% ଯବନାଙ୍କୁ ବାଧ୍ୟତାମୂଳକ ସେନାରୁ ଅବ୍ୟାହତି ଦିଆଯିବ। ଏହି ଶର୍ଟଟର୍ମ ନିଯୁକ୍ତିକୁ ଆଶାୟୀମାନେ ଜୋରଦାର ବିରୋଧ କରୁଛନ୍ତି।

nis-ad
Leave A Reply

Your email address will not be published.