ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସା) ର ନିର୍ବାଚନ ଫଳାଫଳ ଘୋଷିତ

ସର୍ବକାଳୀନ ରେକର୍ଡ଼ ଭୋଟ ବ୍ୟବଧାନରେ ବାଜି ମାରିଲେ ଛତ୍ରପୁର କ୍ୟାଡ଼ର ଏପିପି

ଭୁବନେଶ୍ୱର : କରୋନା କଟକଣା ପାଇଁ ଗତବର୍ଷ ଡ଼ିସେମ୍ବର ଠାରୁ ସ୍ଥଗିତ ରହିଥିବା ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ନିର୍ବାଚନ ଆଜି ତା ୧୭-୦୬-୨୦୨୨ରିଖ ଦିନ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟରରେ ସକାଳ ୧୦.୩୦ମିନିଟରେ ଆୟୋଜିତ ହୋଇଥିଲା । ପୂର୍ବରୁ ଗୃହ ବିଭାଗ ତରଫରୁ ସମସ୍ତ ପ୍ରସିକ୍ୟୁଟରମାନଙ୍କୁ ଏହି ସଙ୍ଘର ନିର୍ବାଚନରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା।

ଆଜି ଓଡ଼ିଶାର ବିଭିନ୍ନ ସ୍ଥାନର ପଦସ୍ଥ ଅଧିକାରୀମାନେ ଏହି ନିର୍ବାଚନରେ ଭାଗ ନେଇ ନିଜର ମତଦାନ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ନଳିନୀ ମହାରଣା ଏହି ନିର୍ବାଚନ ପରିଚାଳନା କରିଥିଲେ। ଆଜିର ଏହି ନିର୍ବାଚନରେ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ପଦସ୍ଥ ଥିବା ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ଅଜିତ ପଟ୍ଟନାୟକ ସଭାପତି ଭାବେ, ଉପସଭାପତି ଭାବେ କଟକରେ ପଦସ୍ଥ ଥିବା ଆଡ଼ିସିନାଲ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ଦେବାଶିଷ ମହାକୁଡ଼, ସାଧାରଣ ସମ୍ପାଦକ ଭାବେ ବରଗଡ଼ ଜିଲ୍ଲାର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ସଞ୍ଜୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଛତ୍ରପୁରର କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର, କୋଷାଧ୍ୟକ୍ଷ ଭାବେ କ୍ରାଇମବ୍ରାଞ୍ଚ ଏପିପି ଶ୍ରୀ ନିରଞ୍ଜନ ନାୟକ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଛତ୍ରପୁର କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ଏହି ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ନିକଟତମ ପ୍ରତିଦ୍ବନ୍ଦିଙ୍କୁ ହରାଇ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ଆଜିର ଏହି ନିର୍ବାଚନ ପରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଶ୍ରୀ ସଲିଳ ପ୍ରଧାନ ଓ କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱରଞ୍ଜନ ରାଉତ ପୂର୍ବ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପରେ ନିର୍ବାଚନର ସଫଳ ଆୟୋଜନ ପାଇଁ ନିର୍ବାଚନ ଅଧିକାରୀ ଶ୍ରୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ନିର୍ବାଚିତ ଅଧିକାରୀଙ୍କୁ ଶପଥପାଠ କରାଇଥିଲେ।

nis-ad
Leave A Reply

Your email address will not be published.