ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଶରଦ ପାୱାର !

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଚକମା ଦେବାକୁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଛନ୍ତି। ସବୁ ବିରୋଧୀ ଦଳ ମିଳିତ ଭାବେ ଜଣେ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବାକୁ ଏବେ ଠାରୁ ଆରମ୍ଭ ହୋଇଛି ମାନସମନ୍ଥନ। ଏଥିପାଇଁ ଘନଘନ ବୈଠକ ମଧ୍ୟ ହେଉଛି। ଏସବୁ ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ, ତାଙ୍କୁ ସବୁ ବିରୋଧୀ ଦଳ ସମର୍ଥନ କରିବେ ବୋଲି ମଧ୍ୟ କୁହାଯାଉଛି।
ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ କଂଗ୍ରେସ ପ୍ରଥମେ ପ୍ରସ୍ତାବ ଦେଇଛି। ଏନେଇ ଗତ ଗୁରୁବାର କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଥିଲେ। ସୋନିଆ ଗାନ୍ଧି ତାଙ୍କ ପାଇଁ ପଠାଇଥିବା ବାର୍ତ୍ତାକୁ ସେ ପାୱାରଙ୍କୁ ଦେବା ସହ ତାଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ମୁମ୍ବାଇରେ ହିଁ ଏହି ଭେଟଘାଟ ହୋଇଥିଲା। ତେବେ ଏନସିପି ନେତା ଏହି ପ୍ରସ୍ତାବ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।
ଏସବୁ ଭିତରେ ରବିବାର ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ମଧ୍ୟ ଶ୍ରୀ ପାୱାରଙ୍କୁ ଫୋନ କରିଥିଲେ। ସମ୍ଭବତଃ ସେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତୁ ବୋଲି ଶ୍ରୀ ସିଂହ କହିଥିବା କୁହାଯାଉଛି। ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତୁ ବୋଲି କଂଗ୍ରେସ ଚାହୁଁଛି। ଏଥିପାଇଁ ଖାଡଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ କଥା ହୋଇଛନ୍ତି। ଏଥିସହ ସେ ଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।
ଅନ୍ୟପକ୍ଷରେ ବିଜେପି ବିରୋଧରେ ରଣନୀତିକୁ ଆହୁରି ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମମତା। ଏଥିପାଇଁ ସେ ବିରୋଧୀ ଦଳଗୁଡ଼ିକୁ ନେଇ ବୁଧବାର ଦିଲ୍ଲୀର ସମ୍ବିଧାନ କ୍ଲବରେ ବୈଠକ କରିବେ। ଏହି ସମୟରେ ସମ୍ଭବତଃ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହୋଇପାରେ। ଏସବୁ ଭିତରେ ହିଁ କଂଗ୍ରେସ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ମନ ବଳାଇଛି।
ଶରଦ ପାୱାର ଭାରତୀୟ ରାଜନୀତିର ଜଣେ ଭେଟରାନ ନେତା। ସେ ଅନେକ ମେଣ୍ଟରେ ସାମିଲ ହେବା ସହ ଅନେକ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିବାର ନଜିର ରହିଛି। ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିପାରିଛନ୍ତି। ଏହି ୩ ଦଳର ଆଦର୍ଶ ଭିନ୍ନଭିନ୍ନ ହୋଇଥିଲେ ମଧ୍ୟ ସେମାନେ ଗୋଟିଏ ଡଙ୍ଗାରେ ବସି ଶାସନ କରୁଛନ୍ତି। ଏହାର ଶ୍ରେୟ କେବଳ ଶରଦ ପାୱାରଙ୍କୁ ଯିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ଏଥିପାଇଁ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ସହ ଗଣତି ମଧ୍ୟ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଛି।
ଭାରତରେ ଇଲେକ୍ଟ୍ରୋରାଲ କଲେଜ ବ୍ୟବସ୍ଥା ମାଧ୍ୟମରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହାର ଅର୍ଥ ନିର୍ବାଚିତ ବିଧାୟକ ଓ ସାଂସଦମାନେ ହିଁ ଭୋଟ ଦେବେ। ବର୍ତ୍ତମାନ ଦେଶର ୪,୮୦୯ ଜଣ ବିଧାୟକ ଓ ସାଂସଦ ଭୋଟ ଦେବାର ଅଧିକାର ପାଇଛନ୍ତି। ପ୍ରତ୍ୟେକ ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟର ଜନସଂଖ୍ୟା ଓ ବିଧାନସଭା ଆସନ ସଂଖ୍ୟା ଅନୁସାରେ ଧାର୍ଯ୍ୟ କରାଯାଇଥାଏ। ଦେଶରେ ବର୍ତ୍ତମାନ ଇଲେକ୍ଟ୍ରୋରାଲ କଲେଜର କ୍ଷମତା ହେଉଛି ୧୦,୮୬,୪୩୧। ରାଷ୍ଟ୍ରପତି ହେବା ପାଇଁ ୫୦%ରୁ ଅଧିକ ଭୋଟ ଦରକାର। ହେଲେ ବିଜେପି ପାଖରେ ୫୦%ରୁୁ କମ ଭୋଟ ଥିବାରୁ ଦଳ ସାମାନ୍ୟ ଚିନ୍ତାରେ ରହିଛି।
୨୦୧୭ରେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ଏହି ସମୟରେ ତାଙ୍କୁ କେସିଆରଙ୍କ ଟିଆରଏସ, ଜଗନ ମୋହନଙ୍କ ୱାଇଏସ୍‌ଆର କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ସମର୍ଥନ କରିଥିଲା।

nis-ad
Leave A Reply

Your email address will not be published.