ଚ୍ୟାଲେଞ୍ଜ ଜିତିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ୧୫ହଜାର କୋଟି ଦାବି କଲେ ସାଂସଦ

ଭୋପାଳ: ଚ୍ୟାଲେଞ୍ଜ ହାରିଗଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ଏହା ତାଙ୍କୁ ପଡ଼ିପାରେ ମହଙ୍ଗା। ତାଙ୍କୁ ଦେବାକୁ ପଡ଼ିପାରେ ୧୫,୦୦୦ କୋଟି ଟଙ୍କା। କଥାଟି ହେଉଛି- ଓଜନ କମାଇବାକୁ ଜଣେ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଚ୍ୟାଲେଞ୍ଜ ସ୍ୱୀକାର କରି ଏବେ ସାଂସଦ ଜଣଙ୍କ ନିଜ ଓଜନ କମାଇ ଦେଇଛନ୍ତି। ଓଜନ କମାଇବା ପରେ ସେ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ଦାବି କରିଛନ୍ତି।
ଗଡ଼କରୀଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରି ଓଜନ ହ୍ରାସ କରିଥିବା ସାଂସଦଙ୍କ ନାଁ ଅନୀଲ ଫିରୋଜିଆ। ସେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ସେ ନିଜ ଅଞ୍ଚଳର ବିକାଶ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବାରମ୍ବାର ଅନୁଦାନ ମାଗୁଥିଲେ। ତେଣୁ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯଦି ସେ ତାଙ୍କ ଓଜନ କମାଇ ଦେବେ, ତା’ହେଲେ ତାଙ୍କୁ ଅନୁଦାନ ଦିଆଯିବ। କେଜି ପିଛା ୧୦୦୦ କୋଟି ଟଙ୍କା ଦିଆଯିବ ବୋଲି ଗଡ଼କାରୀ ତାଙ୍କୁ କହିଥିଲେ।
ସାଂସଦ ଅନୀଲ ଫିରୋଜିଆ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବା ପରେ ନିଜ ଓଜନ କମାଇବାକୁ ଦିନରାତି ଲାଗି ପଡ଼ିଥିଲେ। ସେ ପାଖାପାଖି ୧୫ କିଲୋ ଓଜନ କମାଇଛନ୍ତି। ଏବେ ସେ କେଜି ପିଛା ୧୦୦୦ କୋଟି ଟଙ୍କା ହିସାବରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୧୫ ହଜାର କୋଟି ଟଙ୍କା ମାଗିଛନ୍ତି।
ଓଜନ କମାଇବାକୁ ସାଂସଦ ଅନେକ କସରତ କରିଥିଲେ। ସନ୍ତୁଳିତ ଖାଦ୍ୟ ଖାଇବା ସହ ସାଇକେଲ ଚଲାଇ ଥିଲେ ଓ ନିୟମିତ ବ୍ୟାୟାମ କରିଥିଲେ। ଆଉ ୪ ମାସ ପରେ ତାଙ୍କ ଓଜନ ୧୨୫ରୁ ୧୧୦ କେଜିକୁ ଖସି ଆସିଛି। କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ତାଙ୍କୁ ପତଳା ଓ ସୁସ୍ଥ ରହିବାକୁ ପ୍ରେରିତ କଲା ବୋଲି ଉଜ୍ଜୟିନୀ ସାଂସଦ କହିଛନ୍ତି।
ସେ କହିଛନ୍ତି, ମୋ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ମୁଁ ଗଡ଼କରୀ ଠାରୁ ୧୫,୦୦୦ କୋଟି ଟଙ୍କା ମାଗିବାକୁ ହକଦାର। ଆଗକୁ ମଧ୍ୟ ମୁଁ ମୋ ଓଜନ କମାଇବା ଜାରି ରଖିବି ଯାହାଦ୍ୱାରା ମୋ ଲୋକସଭା ନିର୍ବାଚନମଣ୍ଡଳୀ ବିକାଶ ପାଇଁ ଅଧିକ ଅର୍ଥ ପାଇପାରିବି।

nis-ad
Leave A Reply

Your email address will not be published.