ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ବ !

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି ଯେଉଁମନ୍ତ୍ରୀମାନଙ୍କୁ ନବୀନ ବାହାର କରିଛନ୍ତି ସେମାନେ ଦଳ ପାଇଁ ଦାଗୀ ନୁହଁନ୍ତି, ଅବଶ୍ୟ ଲୋକଙ୍କ ନଜରରେ ବିବାଦୀୟ ହୋଇପଡ଼ିଛନ୍ତି ।

ସେଥିପାଇଁ ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ବିବାଦୀୟ ମନ୍ତ୍ରୀମାନଙ୍କୁ ନବୀନ ନିବାସ ଡକାଇ ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ନବୀନ ବିଦାୟୀମନ୍ତ୍ରୀଙ୍କୁ ନିଜ ପାଖରେ ବସାଇ ବହୁତ ବୁଝାଇଛନ୍ତି । ଦଳର, ପରିବାରର ମୁଖିଆ ପରି ନବୀନ ମନ୍ତ୍ରୀମଣ୍ଡଳରୁ ବାହାରି ଥିବା ହେବିଓ୍ବେଟ ନେତାଙ୍କୁ ଏହା କହି ବୁଝାଇଛନ୍ତି ଯେ ସେମାନଙ୍କୁ ଦଳ ଅଣଦେଖା କରିବ ନାହିଁ । ସେମାନଙ୍କୁ ସଂଗଠନର ଦାୟିତ୍ବ ମିଳିବ । ଆଉ 2024 ନିର୍ବାଚନ ପରେ ଦଳ ସରକାର ଗଠନ କଲେ ପୁଣି ବଡ଼ ପୁରସ୍କାର ମିଳିବ । ଏହା ହିଁ ଆଲୋଚନା ହୋଇଥିବା କୁହାଯାଉଛି ।

ଏଠାରେ କୁହାଯାଇପାରେ ନବୀନଙ୍କ ପାଇଁ ଓଡ଼ିଶା ରାଜନୀତିରେ ମେ’ 5 ତାରିଖ ପୁଣି ଏକ ଐତିହାସିକ ରେଖା ଟାଣିଛି । 2019 ପରେ ସମସ୍ତ ଉପ ନିର୍ବାଚନ ଜିତିଥିବା ବେଳେ ନବୀନଙ୍କ ଏହି ମାଷ୍ଟର ଷ୍ଟ୍ରୋକକୁ ରାଜନୀତି ସମୀକ୍ଷକମାନେ ସଦାବେଳେ ଉଦାହରଣ ଦେଇଚାଲୁଥିବେ ପ୍ରତି ଆଲୋଚନାରେ । ଏକାବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେବା କମ କଥା ନୁହେଁ । ପୁଣି ଯେଉଁ ମନ୍ତ୍ରୀମାନେ ଶକ୍ତିଶାଳୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିବା ମଧ୍ୟ ସହଜ ନୁହଁ । ନବୀନଙ୍କ ନୂଆ ଟିମ୍‌ରେ ନୂଆ ମୁହଁ ସାମିଲ ହୋଇଥିବାବେଳେ ନବୀନଙ୍କ ବିଶେଷ ଅନୁଗତ ମନ୍ତ୍ରୀଙ୍କୁ ବାଦ ଦିଆଯିବା କେହି ବି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ।

ଏପରିକି ନୂଆ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ୧୦ ଜଣ ମନ୍ତ୍ରୀ ମଧ୍ୟ ଏହାର ସୁରାକ ପାଇନଥିଲେ। ଦେଖିବାକୁ ଗଲେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାରାଣ୍ଡି ଏବଂ ସଂସଦୀୟ ବ୍ୟାପାର ସହ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖ କେହି କାହାଠାରୁ କମ୍ ନୁହଁନ୍ତି । କେବଳ ସରକାରରେ ନୁହେଁ ଦଳରେ ଏବଂ ସଂଗଠନର ଗ୍ରାସ ରୁଟରେ ମଧ୍ୟ ଏମାନଙ୍କର ଦବଦବା ରହିଛି । ସେହିପରି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ସେ ମନ୍ତ୍ରୀମଣ୍ଡଳରୁ ବାହାର ରାସ୍ତା ଦେଖାଇଦେଇ ଏହା ହିଁ ସ୍ପଷ୍ଟ କରିଛନ୍ତି ଯେ ବିବାଦୀୟଙ୍କୁ ସେ ପାଖରେ ରଖି ଆଗକୁ ରିକ୍ସ ନେବାକୁ ଚାହାଁନ୍ତି ନାହିଁ ।

ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା କିଛି ପୂର୍ବତନ ମନ୍ତ୍ରୀମାନେ ଆଜି ନବୀନ ନିବାସରେ ପହଁଚିଥିଲେ। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ମନ୍ତ୍ରୀମାନେ ନବୀନ ନିବାସରୁ ବାହାରିବା ପରେ ଦଳ ପାଇଁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ମୁଖ୍ୟମନ୍ତ୍ରୀ ଦେଇଥିବା ଜଣାପଡିଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଏ ନେଇ ମଧ୍ୟ ଆଲୋଚନା ହୋଇଛି। ତେବେ ବିଦାୟୀ ମନ୍ତ୍ରୀମାନଙ୍କ ଭିତରୁ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିନଥିବା ଜଣାପଡ଼ିଛି। ସେପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବାରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନେଇ ସୂଚନା ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି କଡା ନିଷ୍ପତ୍ତି ପରେ କିଛି ବିଦାୟୀ ମନ୍ତ୍ରୀଙ୍କ ମଧ୍ୟରେ କ୍ଷୋଭ ଏବଂ ଅସନ୍ତୋଷ ଯେ ନରହିଛି ତାହା କହିହେବ ନାହିଁ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶକୁ ଏହି ହେବିଓ୍ବେଟ ନେତାମାନେ କେତେ ମାନୁଛନ୍ତି ତାହା ସମୟ କହିବ । ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ମିଳିବ ସତ । କିନ୍ତୁ ମନ୍ତ୍ରୀ ହେବା ଏବଂ ସଂଗଠନ ଦାୟିତ୍ବ ବୁଝିବା ପୁରାପୁରି ଅଲଗା କଥା । ଆଗକୁ ୨୦୨୪ ନିର୍ବାଚନ ରହିଛି। ସଙ୍ଗଠନ କଥା ବିଦାୟୀ ମନ୍ତ୍ରୀମାନେ ବୁଝୁଛନ୍ତି ନା ନିଜ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.