ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ଖାରଜ, ପିଟିସନରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା। ଉଭୟ ଆବେଦନକାରୀଙ୍କ ମାମଲା ଖାରଜ କଲେ ସୁପ୍ରିମକୋର୍ଟ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ ମାମଲା ରଦ୍ଦ କରାଯାଇଛି। ଏହା ସହ ଉଭୟ ପିଟିସନରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରାଯାଇଥିବାରୁ ପିଟିସନରଙ୍କ ଉପରେ ଜରିମାନା କରାଯାଇଛି।

ପେନାଲ୍ଟିଂ ସହ ଆବେଦନକୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏହି କାମ ବିପୁଳ ଜନସ୍ଵାର୍ଥ ପାଇଁ କରାଯାଉଛି। ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୂପଯୋଗ କରୁଛି।

ପ୍ରକାଶ ଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ପାଖାପାଖି ଦେଢ଼ ଘଣ୍ଟା ଧରି ଶୁଣାଣି ହୋଇଥିଲା । ଉଭୟ ଓଡ଼ିଶା ସରକାର ଓ ଆବେଦନକାରୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଶୁଣିବା ପରେ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଶୋକ ପରିଜା, ପିନାକୀ ମିଶ୍ର ଓ କପିଲ ସିବଲ ପକ୍ଷ ରଖି କହିଥିଲେ, ସରକାର ବେଆଇନ ଭାବେ କୌଣସି ଖନନ କାର୍ଯ୍ୟ କରୁନାହାନ୍ତି । ପୂର୍ବର ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଅନୁସାରେ ମନ୍ଦିର ଚାରିପଟେ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ସୁବିଧା ପ୍ରସ୍ତୁତ କରାଯାଉଛି । ଅଶୋକ ପରିଜା ଦର୍ଶାଇଥିଲେ, ପରିକ୍ରମା ପ୍ରକଳ୍ପର ମାତ୍ର ଏକ ପ୍ରତିଶତ ଅଞ୍ଚଳରେ ଖନନ କାର୍ଯ୍ୟ କରାଯାଇଛି । ସେ କହିଥିଲେ, ପ୍ରତିଦିନ ୬୦,୦୦୦ରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ସେମାନଙ୍କ ପାଇଁ ଶୌଚାଳୟ ନିତ୍ୟାନ୍ତ ଦରକାର । ବିଶେଷ ଭାବେ ମହିଳା ଭକ୍ତମାନେ ଶୌଚାଳୟ ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାଛଡ଼ା ସେଠାରେ ଆଶ୍ରୟସ୍ଥଳ ଓ ଇଲେକ୍ଟ୍ରିକାଲ ରୁମ୍‌ ମଧ୍ୟ ତିଆରି କରାଯାଉଛି ।

ଅପରପକ୍ଷେ ଉଭୟ ଆବେଦନକାରୀ ଓକିଲ ଗୌତମ ଦାସ ଓ ମହାଲକ୍ଷ୍ମୀ ପାଭାନି ଦର୍ଶାଇଥିଲେ, ମନ୍ଦିର ଚାରିପଟେ ସୌନ୍ଦର୍ଯୀକରଣ କାର୍ଯ୍ୟକୁ ସେମାନଙ୍କ ବିରୋଧ ନାହିଁ । ରାଜ୍ୟ ସରକାର ଯେଉଁ ଶୌଚାଳୟ କଥା କହୁଛନ୍ତି ତାହା ପାଇଁ ଏତେ ବଡ଼ ବଡ଼ ଗାତ ଖୋଳିବାର ଆବଶ୍ୟକତା କ’ଣ ରହିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ । ସେମାନଙ୍କର ଏକ ମାତ୍ର ଆଶଙ୍କା ରହିଛି ମନ୍ଦିରର ସୁରକ୍ଷା ପ୍ରତି। ଏଏସ୍‌ଆଇର ବିନା ଅନୁମତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କିପରି ଖନନ କାର୍ଯ୍ୟ ଆରମ୍ଭ ହେଲା ସେନେଇ ସେମାନେ ପ୍ରଶ୍ନ କରିଥିଲେ।

nis-ad
Leave A Reply

Your email address will not be published.