ଉପାନ୍ତ ଅଞ୍ଚଳକୁ ଚାଲିଚାଲି ଗଲେ ବିଧାୟକ ଓ ବିଡିଓ ଲୋକଙ୍କ ସମସ୍ୟା ବୁଝିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ଦାରିଙ୍ଗବାଡି, (୩୦/୫) : ଉପାନ୍ତ ଅଂଚଳକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଜି ଉଦୟଗିରି ବିଧାୟକ ଓ ବିଡିଓ । ଯେଉଁ ଅଂଚଳରେ କେବେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନଥିଲା ସେଠି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦୀର୍ଘ ୧୦ କିଲୋମିଟର ବାଟ ଚାଲି ଚାଲି ବିଭିନ୍ନ ଉପାନ୍ତ ଅଂଚଳ ବୁଲି ଦେଖିବା ସହ ଲୋକଙ୍କ ରହିଥିବା ସମସ୍ୟା ବାବଦରେ ବୁଝି ପଚାରିଛନ୍ତି। ପ୍ଲିହେରୀ ଗ୍ରାମ ପଞ୍ଚାୟତର ଲାମ୍ବାବାନ୍ଦା ଓ ସୁଲୁମହା ଏବଂ ଦାସିଙ୍ଗବାଡ଼ି ଗ୍ରାମ ପଞ୍ଚାୟତର ଗଡ଼ପାକାଲି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନଥିବା ବେଳେ ବିଦ୍ୟୁତ ସେବା ସେମାନଙ୍କ ପାଇଁ ସ୍ୱପ୍ନ ପାଲିଟିଛି। ଏହା ସହ ପାନୀୟ ଜଳ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ତ ନକହିବା ଭଲ । ଭଲ ରାସ୍ତା ଟିଏ ନଥିବା ଯୋଗୁଁ ପାହାଡିଆ ରାସ୍ତା ଦେଇ ଚାଲିକି ଯିବା କଷ୍ଟ । ଗାଡି ଛାଡି ସାଇକେଲ ଯିବାବି କାଠିକର ପାଠ । ଅନ୍ୟ ପକ୍ଷରେ ଗଡ଼ପାକାଲିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ରାସ୍ତା ନଥିବା ଯୋଗୁଁ ଉକ୍ତ ଗ୍ରାମରେ ଆଜି ପର୍ଯ୍ୟନ୍ତ ସ୍କୁଲ ଘର ଓ ଅଙ୍ଗନବାଡ଼ି ଘର ନିର୍ମାଣ ହୋଇପାରୁନାହିଁ । ଫଳରେ ଝାଟିମାଟି ଘରେ ସ୍କୁଲ ଓ ଅଙ୍ଗନବାଡ଼ି ଗୃହ ଚାଲିଛି । ବହୁତ ଥର ଅନୁଦାନ ଆସିଥିଲେ ସୁଦ୍ଧା ରାସ୍ତା ନଥିବା ଫଳରେ ଅନୁଦାନ ମଧ୍ୟ ଫେରସ୍ତ ହୋଇଯାଇଛି । ଜାହାରି ଫଳରେ ପିଲା ମାନେ ଝାଟିମାଟି ଘରେ ପାଠ ପଢ଼ନ୍ତି । ଗାଁ ରେ ବିଦ୍ୟୁତ ନଥିବା ଯୋଗୁଁ ଲୋକେ ଜଙ୍ଗଲୀ ଜୀବନ ବିତାଉଛନ୍ତି । ପାନୀୟ ଜଳ କହିଲେ ନଦୀ ନାଳ ଓ ଚୁଆ ପାଣି ହିଁ ଭରସା । ରାସ୍ତା ନଥିବା ଯୋଗୁଁ ଲୋକେ ସଠିକ ସମୟରେ ମେଡିକାଲ ସୁବିଧା ମଧ୍ୟ ପାଇପାରୁନାହାନ୍ତି । ଭଲରାସ୍ତା ନଥିବା ଫଳରେ ଉକ୍ତ ଅଂଚଳକୁ ସରକାରୀ ବାବୁ ହୁଅନ୍ତୁ ଅବା ନେତାଙ୍କ ପାଦ ପଡୁନଥିଲା । କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ କରିବା ତଥା ଲୋକଙ୍କ ସମସ୍ୟା ବୁଝିବାକୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଓ ବିଡିଓ ଗଦାଧର ପାତ୍ର ଦୁହେଁ ମୁଦ୍ରାର ଦୁଇ ପାର୍ଷ ଭଳି ଆଗେଇ ଆସିଛନ୍ତି । ଦୀର୍ଘ ୧୦ କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ଉକ୍ତ ଗାଁରେ ପହଂଚି ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଲୋକଙ୍କ ସମସ୍ୟା ଶୁଣିଥିଲେ ଓ ପର୍ଯ୍ୟାୟ କ୍ରମେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବା ନିମନ୍ତେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଗତ ୨୦୧୨ ମସିହାରେ ଦୁଇ ଇଟାଲୀୟ ନାଗରିକ ବାଟିସ୍କୋପାଉଲ ଓ କ୍ଲାଉଡିଅ କାଲାନଜେଲୋ ଗଡ଼ପାକାଲି ଅଂଚଳକୁ ବୁଲିଯାଇଥିବା ବେଳେ ସେଠୁ ଦୁଇ ଇଟାଲିୟ ନାଗରିକଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଥିଲେ । ସେହି ଦିନ ଠାରୁ ଉକ୍ତ ଅଂଚଳର ନାମ କହିଲେ ମନରେ ଭୟ ଉଙ୍କି ମାରୁଥିଲା । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ମାଓବାଦୀ ପ୍ରାଦୃଭାବ କମିଯାଇଥିବା ଯୋଗୁଁ ଉକ୍ତ ଅଂଚଳରେ ବେଳେ ବେଳେ ସରକାରୀ ବାବୁଙ୍କ ପାଦ ପଡୁଛି । ବିଧାୟକ ଓ ବିଡିଓ ଯେଉଁଭଳି ଭାବେ ପାହାଡିଆ ଅଂଚଳରେ ରହିଥିବା ଗାଁ ଗୁଡିକୁ ଚାଲି ଚାଲି ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସେନେଇ ସ୍ଥାନୀୟ ଲୋକ ଖୁସି ହୋଇଥିବା ବେଳେ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି । ଅନ୍ୟପକ୍ଷେ ଏହି ଗସ୍ତ ସମୟରେ ପ୍ଲିହେରୀ ସରପଂଚ ପାଉଲ ପ୍ରଧାନ,ସମିତିସଭ୍ୟ ଅରୁଣ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.