ବିଜେପି ନେତାଙ୍କ ଥାର୍ଡ ଡିଗ୍ରୀ! ମୁସଲିମ୍‌ ଭାବି ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଭୋପାଲ: ସାମ୍ପ୍ରଦାୟିକ ଅସହିଷ୍ଣୁତାର କରୁଣ ରୂପ। ମୁସଲିମ ଭାବି ଜଣେ ବୃଦ୍ଧଙ୍କୁ ପିଟିପିଟି ମାରିଦେବା ଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ସମ୍ପୃକ୍ତ ବୃଦ୍ଧଙ୍କୁ ଜଣେ ବିଜେପି ନେତା ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବୃଦ୍ଧଙ୍କୁ ଏହି ବିଜେପି ନେତା ଜଣଙ୍କ ଅମାନବୀୟ ଭାବେ ମାରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସର୍ଚ୍ଚ ଆରମ୍ଭ କରିଛି।
ଗୁରୁବାର, ମଧ୍ୟପ୍ରଦେଶ ମନାସା ରାମପୁରା ରୋଡ। ଏଠାରେ ଥିବା ଏକ ମାରୁତି ଶୋ’ ରୁମ୍‌ ନିକଟରୁ ଜଣେ ଅଜ୍ଞାତ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଜବତ ହୋଇଥିଲା। ପୁଲିସ ସୋଶାଲ ମିଡିଆ ସମେତ ବିଭିନ୍ନ ପ୍ଲାଟଫର୍ମରେ ଏହି ମୃତବ୍ୟକ୍ତିଙ୍କ ଫଟୋ ଜାରି କରିଥିଲା। ପରେ ଏହି ବୃଦ୍ଧ ବ୍ୟକ୍ତି ଜଣକ ରତଲାମ ଜିଲ୍ଲାର ଭଂବର ଲାଲ ଜୈନ ବୋଲି ପରିଚୟ ମିଲିଥିଲା। ପ୍ରାଥମିକ ପ୍ରକ୍ରିୟା ପୂରଣ କରିବା ପରେ ଶୁକ୍ରବାର ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକଙ୍କ କହିବା ମୁତାବକ, ଭଂବର ଲାଲ ଦିବ୍ୟାଙ୍ଗ ଥିବା ସହ ମାନସିକ ରୋଗୀ ଥିଲେ। ତାଙ୍କୁ କୌଣସି କଥା ମନେ ରହୁନଥିଲା।
ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ଭଂବର ଲାଲ ଜୈନଙ୍କୁ ମୁସଲିମ ହେବା ସନ୍ଦେହରେ ଅମାନବୀୟ ଭାବେ ଚାପୁଡା ଉପରେ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ‘ତୋର ନାଁ କ’ଣ? ତୁ ଜାୱରାରୁ ଆସିଛୁ? ତୋ ଆଧାର କାର୍ଡ ଦେଖା… କହି ଲଗାତର ବୃଦ୍ଧଙ୍କୁ ଉକ୍ତ ବ୍ୟକ୍ତି ଜଣକ ମାଡ ମାରୁଛନ୍ତି। ସେପଟେ ବୃଦ୍ଧ ଜଣକ ନେହୁରା ହୋଇ ୨୦୦ ଟଙ୍କା ନିଅ ମୋତେ ମାରନି… ବୋଲି କହୁଥିବା ଶୁଣିବାକୁ ମିଳିଛି।
ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ମାଡ ମାରୁଥିବା ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଦିନେଶ କୁଶବାହା। ସେ ପୂର୍ବତନ ବିଜେପି କାଉନ୍‌ସିଲର୍‌ଙ୍କ ସ୍ୱାମୀ ବୋଲି ଜଣାପଡିଛି। ଏଥିସହ ସେ ବି ଜଣେ ବିଜେପି ନେତା ବୋଲି କୁହାଯାଉଛି। ପୁଲିସ ଆଇପିସି ଧାରା ୩୦୨ ଆଧାରରେ ମାମଲା ରୁଜୁ କରି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ସେପଟେ ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ ଚାଲିଛି। ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ନା ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ସେପଟେ ଏହି ମାମଲାକୁ ନେଇ କଂଗ୍ରେସ ବିଜେପି ସରକାରକୁ ଘେରିଛି। କଂଗ୍ରେସ ବିଧାୟକ ଜିତୁ ପଟୱାରୀ ଏହି ପୂରା ଘଟଣାର ଭିଡିଓକୁ ଟ୍ୱିଟ୍‌ କରି ଲେଖିଛନ୍ତି, ମାଡ ଖାଉଥିବା ଭଂବର ଲାଲଙ୍କ ପରେ ମୃତ୍ୟୁ ହୋଇଛି। ମାଡ ମାରୁଥିବା ବ୍ୟକ୍ତି ପୂର୍ବତନ ବିଜେପି କାଉନ୍‌ସିଲରଙ୍କ ସ୍ୱାମୀ ଦିନେଶ ଅଟନ୍ତି। ପ୍ରଥମେ ଦଳିତ, ପରେ ମୁସଲିମ ଆଦିବାସୀ ଆଉ ଏବେ ଜୈନ! ଏହି ବିଷ ଆଉ ସାଂଘାତିକ ଘୃଣାର ଚୁଲିକୁ ବିଜେପି ଜାଳିଛି! ଗୃହମନ୍ତ୍ରୀ କିଛି କହିବେ କି? ବୋଲି ସେ ପ୍ରଶ୍ନ କରିଛନ୍ତି।

nis-ad
Leave A Reply

Your email address will not be published.