ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ଅଭିଯୋଗ

ଭଦ୍ରକ: ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ l ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁହଁ ଖୋଲିଲେ ସଂଖ୍ୟାଧିକ କର୍ମଚାରୀ l ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ କୋର୍ଟର ବିଚାରାଧୀନ ରହିଛି ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସର୍ତ୍ତମୂଳକ ଭାବେ ଏହାର ପରିଚାଳନା ଦାୟିତ୍ବ ପରିଚାଳନା କମିଟିକୁ ପ୍ରଦାନ କରାଯାଇଛି । ସେହି ସର୍ତ୍ତଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ ପରିଚାଳନା କମିଟି ପ୍ରତିମାସ 7 ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବ । ଯାହାକୁ ପରିଚାଳନା କମିଟି ପାଳନ କରି କଲେଜକୁ ଚଳାଇ ଆସିଥିଲା ।

କୋଭିଡ଼ କାରଣରୁ ଛାଛାତ୍ରୀମାନଙ୍କ ସଂଖ୍ୟାରେ ହ୍ରାସ ଘଟି ଥିବାରୁ କଲେଜରେ ଏହି ବିବାଦ ସୂତ୍ରପାତ ହୋଇଥିବା ଜଣାପଡିଛି । ନାମଲେଖା ଏକ ପ୍ରକାର ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫଳରେ କଲେଜର ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପଡ଼ିଛି । ଯାହାପାଇଁ ପରିଚାଳନା କମିଟି ଧାର୍ଯ୍ୟ ସମୟରେ ଦରମା ଦେବାକୁ ସକ୍ଷମ ହୋଇପାରିନଥିଲା । ସେଥିଲାଗି କିଛି କର୍ମଚାରୀ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ ମଧ୍ୟ କରିଛନ୍ତି । ଯାହାର ଶୁଣାଣି ଗତ ଏପ୍ରିଲ 25 ତାରିଖକୁ ଧାର୍ଯ୍ୟ ହୋଇଥିଲା । ମାତ୍ର ଆଉ କିଛି କର୍ମଚାରୀ ସେ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ବେଆଇନ ଭାବେ ଅନ୍ୟ କର୍ମଚାରୀଙ୍କୁ ପ୍ରବର୍ତ୍ତାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଫାଟକ ଆଗରେ ଗଣଧାରଣା ଦେଇଛନ୍ତି ।

କର୍ମଚାରୀମାନଙ୍କ ଦ୍ବାରା ଉଚ୍ଚ ନ୍ୟାୟାଳୟରେ ଆଗତ ପିଟିସନର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର 6 ତାରିଖକୁ ଧାର୍ଯ୍ୟ କରିଛନ୍ତି । ମାତ୍ର କର୍ମଚାରୀଙ୍କ ଆନ୍ଦୋଳନ ଦ୍ଵାରା ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧା ସୃଷ୍ଟି କରୁଛି ବୋଲି ଅନ୍ୟ କର୍ମଚାରୀମାନେ କହିଛନ୍ତି । ଆହୁରି ମଧ୍ୟ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏହାକୁ ଘୋର ବିରୋଧ କରିବା ସହ ନ୍ୟାୟାଳୟର ନ୍ୟାୟକୁ ଅପେକ୍ଷା କରିବା ଆବଶ୍ୟକ ମତ ରଖିଛନ୍ତି କର୍ମଚାରୀ ।

nis-ad
Leave A Reply

Your email address will not be published.