ଦରଦାମକୁ ବିରୋଧ କରି ହାତୀ ଉପରେ ବସି ଯାତ୍ରା କଲେ ସିଦ୍ଧୁ

ପଟିଆଲା: ଦରଦାମ ବୃଦ୍ଧିକୁ ବିରୋଧ କରି ଅଭିନବ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଆଜି ସେ ହାତୀ ଉପରେ ବସି ଯାତ୍ରା କରିବା ସହ ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ସିଦ୍ଧୁ ଧଳା ରଙ୍ଗର ପୋଷାକ ପିନ୍ଧି ହାତୀ ଉପରେ ବସିଛନ୍ତି। ଏହାକୁ ଆଉ ଜଣେ ବ୍ୟକ୍ତି ଚଳାଉଛନ୍ତି। ତାଙ୍କ ହାତରେ ଗୋଟିଏ ବ୍ୟାନର ରହିଛି। ଏଥିରେ ସେ ହାତୀ ଆକାର ଭଳି ବଢ଼ି ଚାଲିଛି ଦର ବୋଲି ଲେଖାଯାଇଛି।
ଦର ବୃଦ୍ଧି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସିଦ୍ଧୁ କହିଛନ୍ତି, “ବର୍ତ୍ତମାନ ଦର ବୃଦ୍ଧି ହାତୀର ବିଶାଳ ଆକାର ଭଳି ବଢ଼ି ଚାଲିଛି। ସୋରିଷ ତେଲର ଦାମ ୭୫ ଟଙ୍କାରୁ ବଢ଼ି ୧୯୦ ଡେଇଁଲାଣି। ଡାଲିର ଦାମ ୮୦ ଥିଲା। ହେଲେ ଏବେ ୧୩୦। ଲୋକମାନେ ଚିକେନ ଏହି ଦାମରେ କିଣି ପାରିବେ। ଚିକେନ ଓ ଡାଲିର ଦାମ ଏବେ ସମାନ ହୋଇ ଗଲାଣି। ଏପରି ଦରବୃଦ୍ଧି ଗରିବ, ମଧ୍ୟବିତ୍ତ, ଚାଷୀଙ୍କୁ ପ୍ରଭାବିତ କରୁଛି। ଦେଶ ତଥା ପଞ୍ଜାବର ୯୫% ଲୋକ ଆଜି ଦରବୃଦ୍ଧି ସମସ୍ୟା ଯୋଗୁ ହଇରାଣ ହେଉଛନ୍ତି।”
ଦରଦାମ ବୃଦ୍ଧିକୁ ବିରୋଧ କରି ସିଦ୍ଧୁ ଆଜି ପଞ୍ଜାବର ପଟିଆଲ ସ୍ଥିତ ଜନଗହଳୀପୂର୍ଣ୍ଣ ରାସ୍ତାରେ ହାତୀରେ ବସି ବିକ୍ଷୋଭ କରିଛନ୍ତି। ତାଙ୍କ ସହ କଂଗ୍ରେସ କର୍ମୀମାନେ ମଧ୍ୟ ପ୍ଲାକାର୍ଡ ଧରି ଦର ଦାମ ବୃଦ୍ଧିକୁ ବିରୋଧ କରିଛନ୍ତି।
ଗତମାସ ମଧ୍ୟରେ ମହଙ୍ଗା ମାଡ଼ ଓ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସିଦ୍ଧୁ ଅମୃତସରରେ ବିକ୍ଷୋଭ କରିଥିଲେ। କେବଳ ସିଦ୍ଧୁ ନୁହନ୍ତି, ପ୍ରାୟ ଅଧିକାଂଶ ବିରୋଧୀ ଦଳ ଦରଦାମ ବୃଦ୍ଧିକୁ ବିରୋଧ କରୁଛନ୍ତି। ଏସବୁ ସତ୍ତ୍ୱେ ଦରଦାମ ଉପରେ ଲଗାମ ଲାଗୁନି। ଆଜି ରୋଷେଇ ଗ୍ୟାସ ଦର ପୁଣିଥରେ ୩.୫୦ ଟଙ୍କା ମହଙ୍ଗା ହୋଇଛି।

nis-ad
Leave A Reply

Your email address will not be published.