ବ୍ରହ୍ମପୁର : ଗୋପାଳପୁର ଥାନା ପୋଲିସ ଦ୍ୱାରା ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇ ଅସମାଜିକ ଯୁବକକୁ ଗିରଫ କରିଛି । ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର ଉପକଣ୍ଠ ଆମ୍ୱପୁଆ ଖଣ୍ଡିଆ ସାହିର କହ୍ନେଇ ସେଠୀ ଓ ଗଣେଶ ରେଡ୍ଡୀ। ଗଣେଶ ରେଡ୍ଡୀ ନାମରେ ଗୋପାଳପୁର ଥାନାରେ ୯ ଟି ଭିନ୍ନ ଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ କହ୍ନେଇ
ପଶ୍ଚିମବଙ୍ଗ ହୁଗୁଳିରେ ଏକ ହତ୍ୟା ମାମଲାରେ ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ଦେଇଛି ।ଗତକାଲି ରାତିରେ କୌଣସି ସୂତ୍ରରୁ ଗୋପାଳପୁର ଥାନା ପୋଲିସ ଖବର ପାଇଥିଲା ଯେ ଦୁଇ ଜଣ ଅସମାଜିକ ବ୍ୟକ୍ତି ବ୍ରହ୍ମପୁର ସହର ଉପକଣ୍ଠ ଆମ୍ୱପୁଆ ଇନକମ୍ ଟାକ୍ସ ଅଫିସ ନିକଟରେ ବୋମା ଓ ପିସ୍ତଲ ଧରି ତାଙ୍କରି ଶତ୍ରୁଙ୍କୁ ହତ୍ୟା କରିବା ଲାଗି ଯୋଜନା କରୁଛନ୍ତି । ଏନେଇ ବ୍ରହ୍ମପୁର ସଦର ଏସଡିପିଓ ଶିବଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ଗୋପାଳପୁର ଥାନା ଅଧିକାରୀ ଓ ପୋଲିସ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଓ ଚେକିଂ କରିବା ସହ ସଂପୃକ୍ତ ଅଞ୍ଚଳରେ ଚଢାଉ କରିଥିଲେ । ତେବେ କୌଣସି ଅଘଟଣ ଓ ଅପରାଧ କରିବା ପୂର୍ବରୁ ପୋଲିସ ପଞ୍ଝାରେ ପଡିଥିଲେ ଏହି ଦୁଇ ପେଶାଦାର ଅପରାଧୀ । ତେବେ ଗିରଫ ହୋଇଥିବା ଦୁଇ ଅପରାଧୀ କେଉଁ ଠାରୁ ଓ କାହାଠାରୁ ଏହି ଦେଶୀ ପିସ୍ତଲ ଆଣିଥିଲେ ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରହିଥିବା ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍ ଏମ୍ ସୂଚନା ଦେଇଛନ୍ତି ।