ଗୁଜରାଟରେ ଧସିଲା ଲୁଣ କାରଖାନା କାନ୍ଥ, ୧୨ ମୃତ

ମୋରବୀ: ଗୁଜରାଟ ମୋରବୀରେ ବଡ ଦୁର୍ଘଟଣା ଘଟିଛି। ଏଠାରେ ଥିବା ହଲବଦ ଜିଆଇଡିସିରେ ଏକ ଲୁଣ କାରଖାନାର କାନ୍ଥ ଭୂଷୁଡି ପଡିଛି। ଫଳରେ କାନ୍ଥ ତଳେ ଦବି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପରିଚାଳନା କରିବା ସହ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। କାନ୍ଥ ତଳେ ଆହୁରି ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପରିଚାଳନା ଜାରି ରହିଛି।

ଭୁଷୁଡି ପଡିଥିବା କାନ୍ଥ ହଟାଇବାକୁ ଜେସିବି ଡକାଯାଇଛି। ଜେସିବି ମାଧ୍ୟମରେ କାନ୍ଥର ଭଗ୍ନାବଶେଷ ତୁରନ୍ତ ହଟାଯିବା ସହ ଦବି ରହିଥିବା ଲୋକଙ୍କ ଉଦ୍ଧାର ସହଜ ହେବ ବୋଲି କୁହାଯାଉଛି। ଦୁର୍ଘଟଣା ସୂଚନା ପାଇ ମୋରବୀ ଜିଲ୍ଲାପାଳ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ସାଗର ସଲ୍ଟରେ ଏହି ଦୁର୍ଘଟଣା ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। କାରଖାନାରେ ଶ୍ରମିକ ଲୁଣକୁ ବସ୍ତାରେ ଭରୁଥିବା ବେଳେ ଅଚାନକ କାନ୍ଥ ଧସିପଡିଥିଲା। ଦୁର୍ଘଟଣାରେ ସମସ୍ତ ମୃତକ ଲୁଣ କାରଖାନାରେ କାର୍ଯ୍ୟରତ ଶ୍ରମିକ ବୋଲି ଜିଲ୍ଲାପାଳ କହିଛନ୍ତି।

ଗୁଜରାଟ ମୋରବୀ ଦୁର୍ଘଟଣା ସମ୍ପର୍କରେ ଖବର ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଛି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ଲାଗି ଶୋକ ପ୍ରକଟ କରିଛନ୍ତି। ପ୍ରତି ମୃତକଙ୍କ ପରିବାର ନିମନ୍ତେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମୋରବୀ ଲୁଣ କାରଖାନା ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାରଖାନାର କାନ୍ଥ ଭୂଷୁଡି ପଡିବା ଯୋଗୁ ବସ୍ତାରେ ଭର୍ତ୍ତି ହୋଇଥିବା ଲୁଣ ଗଦା ଉପରେ ପଡୁଛି ଓ ଏହା ଭୂଷୁଡି ଶ୍ରମିକଙ୍କ ଉପରେ ମାଡି ଯାଉଥିବା ଦେଖା ଯାଉଛି। ସ୍ଥାନୀୟ ଲୋକ, ପୋଲିସ ଓ ଉଦ୍ଧାରକାରୀମାନେ ଲୁଣ ବସ୍ତା ଓ କାନ୍ଥର ଭଗ୍ନାବଶେଷ ଆଡେଇ ବସ୍ତା ଭିତରେ ଦବି ରହିଥିବା ଲୋକଙ୍କ ସନ୍ଧାନ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

nis-ad
Leave A Reply

Your email address will not be published.