ଦାୟିତ୍ଵ ହୀନ ପ୍ରଶାସନିକ ଅଧିକାରୀ ଙ୍କ ହାତରେ ଆଶ୍ରମ ବିଦ୍ୟାଳୟ : ଛଟ ପଟ ହୋଇ ଅକାଳ ରେ ଚାଲିଗଲା ନିରୀହ ପିଲା ର ଜୀବନ…

ଚିତ୍ରକୁଣ୍ଡା/ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ୍ ଅଧୀନସ୍ଥ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘଟଣାଟି କିଛି ଏଭଳି ଯେ ନାକମାମୁଡ଼ି ପଞ୍ଚାୟତ, ନୀଳପାରି ଗାଁ ର ୧୧ ବର୍ଷିୟ ବାଳକ ଶ୍ରୀଧର ଖେମୁଡୁଶିକ୍ଷା ଗ୍ରହଣ କରିବା ନିମନ୍ତେ ଘରଠାରୁ ପ୍ରାୟ ୫୦ କି.ମି. ଦୂରରେ ଥିବା ନନ୍ଦିନୀଗୁଡା ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଢ଼ି ଆସୁଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୮.୦୦ ବେଳେ ସେ ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ। ତେବେ ସଙ୍ଗେ ସଙ୍ଗେ ଛାତି ଯନ୍ତ୍ରଣା ତଥା ପେଟ ଯନ୍ତ୍ରଣା ହେଉଥିବା ତାଙ୍କ ବନ୍ଧୁ ମାନଙ୍କୁ ଜଣାଇ ଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଯେ ବିଦ୍ୟାଳୟ ଛାତ୍ରାବାସ ରେ ପ୍ରଧାନ ଶିକ୍ଷକ,ମେଟ୍ରନ,ୱାର୍ଡେନ କେହି ବି ନ ଥିଲେ । ରାତ୍ରି ଭୋଜନ ପରେ ଛାତ୍ରାବାସରେ କୌଣସି କର୍ମଚାରୀ ନ ଥିଲେ। ଜଣେ ଚିକିତ୍ସା ଅନଭିଜ୍ଞ ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ପାରାସେଟାମଲ୍ ଔଷଧ ଦେଇଥିଲେ । ଯାହାକି ଶ୍ରୀଧର ରତ୍ରଭୋଜନ ପରେ ଖାଇଛନ୍ତି । ସମ୍ବେଦନଶିଳ ବିଷୟ ଏହା ଯେ, ସେ ପର୍ଯ୍ୟନ୍ତ ନା କୌଣସି ଶିକ୍ଷକ ନା ଖୋଦ୍ ପ୍ରଧାନ ଶିକ୍ଷକ ନା ମେଟ୍ରନ ଘଟଣା ସ୍ଥଳରେ ପହଞ୍ଚିଲେ ନାହିଁ। ଅନ୍ୟ ଛାତ୍ର ମାନଙ୍କ ପ୍ରତିକ୍ରିୟା ମୁତାବକ ପରବର୍ତ୍ତୀ ସମୟରେ ଅର୍ଥାତ୍ ବିଳମ୍ବିତ ରାତ୍ର ପ୍ରାୟ ୧୧.୦୦ ବେଳେ ପୁନଶ୍ଚ ଶ୍ରୀଧର ଯନ୍ତ୍ରଣା ଅନୁଭବ କଲେ ଏଣୁ ଉକ୍ତ ସମୟରେ ଛାତ୍ରୀ ଆବାସରେ ରହୁଥିବା ଶିକ୍ଷୟିତ୍ରୀ ମିନତୀ ନାୟକ କହିବା ମୁତାବକ Diagene ଔଷଧ ଦିଆଗଲା। ଚିନ୍ତାଜନକ ବିଷୟ ହେଇଛି ବାରମ୍ବାର ଅସୁସ୍ଥତା ସତ୍ତ୍ଵେ ଡାକ୍ତରଖାନାକୁ ନ ନେଇ ଅନଭିଜ୍ଞ ବ୍ୟକ୍ତିଙ୍କ ଜରିଆରେ ପ୍ରାଥମିକ ଚିକିତ୍ସା ନାଆ ରେ ପ୍ରହସନ କରି ବିଦ୍ୟାଳୟ କର୍ତ୍ତୃପକ୍ଷ ପରିସ୍ଥିତିକୁ ଅତି ସହଜ ତଥା ହାଲକା ଭାବରେ ଏଡେଇ ଦେଇଥିଲେ କାହିଁକି?ଅନ୍ୟ ପକ୍ଷରେ ତାହା ଶ୍ରୀଧରକୁ ଅଧିକ ରୁ ଅଧିକ ଅସ୍ୱାସ୍ଥ୍ୟକର ପରିବେଶକୁ ଠେଲି ଦେଇଥିଲା । ଫଳରେ ଯନ୍ତ୍ରଣାରେ ଜର୍ଜରିତ ଶିଶୁଟିକୁ ମୃତ୍ୟୁ ସହ ସଂଗ୍ରାମ କରିବା ସହ ପାଟିରୁ କିଛି ଗରଳ ନିର୍ଗତ କରି ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲା । ପିଲା ର ମୂମୂର୍ଷୁ ଅବସ୍ଥା ଦେଖି ଅନ୍ୟ ଶିକ୍ଷାର୍ଥୀ ମାନେ ପାଖ ଛାତ୍ରୀ ନିବାସର ଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅନ୍ୟ ଜଣେ ଶିକ୍ଷୟିତ୍ରୀ ସଙ୍ଗୀତା ବିଶ୍ବାସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅତି ତରବରିଆ ଭାବେ ଆମ୍ବୁଲାନ୍ସକୁ ଡାକି ଶିଶୁଟି କୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ।

ସେତେବେଳକୁ ଶିଶୁଟି ର ପ୍ରାଣବାୟୁ ଚାଲିଯାଇଥିଲା । ଏହି ସମୟରେ ଡ଼ାକ୍ତର ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ନାରାୟଣ ନାୟକ ସଫେଇ ଦେଇ କହିଛନ୍ତି ଯେ ପାରିବାରିକ ସମସ୍ୟା କାରଣରୁ ସେ ଘଟଣା ସ୍ଥଳରେ ଉପସ୍ଥିତ ରହି ପାରି ନଥିଲେ । ସେପଟେ ମେଟ୍ରନ ପ୍ରୀୟବାଳା ମଜୁମଦାର ଛୁଟିରେ ଥିବା ଦର୍ଶାଇ ନିଜକୁ ଘଟଣା ଠାରୁ ଦୂରେଇ ଦେଇଛନ୍ତି ଏବଂ ସଙ୍ଗୀତା ବିଶ୍ବାସ ମଧ୍ଯ ଅନ୍ୟ ଛାତ୍ରୀ ମାନଙ୍କ ଶାରୀରିକ ଅସୁସ୍ଥତା ଦର୍ଶାଇ ନିଜକୁ ଘଟଣା ଠାରୁ ଦୂରେଇ ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଛାତ୍ରାବାସର ଅନ୍ୟ ଶିକ୍ଷାର୍ଥୀ ମାନଙ୍କୁ ଦିଆଯାଇଥିବା ଧମକପୂର୍ଣ୍ଣ ଚେତାବନୀ କାରଣରୁ ବାରମ୍ବାର ସେମାନଙ୍କ ତଥ୍ୟ ପ୍ରକାଶରେ ବ୍ୟତିକ୍ରମ ଦେଖା ଯାଉଛି । ତେବେ ପ୍ରଶ୍ନ ଉଠୁଛି ଯେ ପାଚିକା ସହାୟକଙ୍କୁ ୱାର୍ଡେନ ଦାୟିତ୍ୱରେ କିଭଳି ନ୍ୟସ୍ତ କରାଯାଇଥିଲା ? ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ଅଣଶିକ୍ଷକଙ୍କ ଏକା ସମୟରେ କିଭଳି କାର୍ଯ୍ୟ ବ୍ୟସ୍ତତା ରହିଲା ? ବାରମ୍ବାର ଯନ୍ତ୍ରଣାରେ ଛଟପଟ ହେଉଥିବା କଁଅଳ ଶିଶୁଟିର ରାହା କିଭଳି କୌଣସି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କର୍ଣ୍ଣପାତ ହୋଇ ପାରିଲା ନାହିଁ ? ଆବାସିକ ବିଦ୍ୟାଳୟରେ ଅନଭିଜ୍ଞ ବ୍ୟକ୍ତି ମାନଙ୍କ ହାତରେ କିଭଳି ସ୍ବାସ୍ଥ୍ୟ ବ୍ୟବସ୍ଥା ଟେକି ଦିଆଯାଇପାରେ ? ଦୀର୍ଘ ଦିନ ଧରି କିଭଳି ଛାତ୍ରାବାସର ଦାୟିତ୍ୱରେ କୌଣସି ମେଟ୍ରନ କିମ୍ବା ୱାର୍ଡେନ ନିଯୁକ୍ତ କରା ଯାଇନଥିଲା ? ଜିଲ୍ଳା ପ୍ରଶାସନ ଏତେ ସାରା ଅବ୍ୟବସ୍ଥାକୁ ନେଇ କିଭଳି ଅନ୍ଧ ଧୃତରାଷ୍ଟ୍ର ସାଜି ନୀରବ ରହି ଯାଇଥିଲେ ? ଯଦିଓ ଏଭଳି ଘଟଣା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି ଯେ,ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ନ ରହି ନିକଟସ୍ଥ ସହରରେ ରହୁଛନ୍ତି ତା’ ସତ୍ତ୍ଵେ ପ୍ରଶାସନର ଉଦାସୀନତା ଆଜି ପୁଣି ଏକ ଶିଶୁକୁ ମୃତ୍ୟୁ ମୁଖକୁ ଠେଲି ଦେଲା ଏବଂ ପିତାମାତାଙ୍କ କୋଳରୁ ସନ୍ତାନକୁ ଛଡେଇ ନେଲା।
ଆଜି ଭୋର୍ ୪.୩୦ରେ ଖବର ପାଇ ପିତା ମାତା ତଥା ପରିବାର ବର୍ଗ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପରିବାରବର୍ଗଙ୍କ ସିଧାସଳଖ ଅଭିଯୋଗ ଯେ ବିଦ୍ୟାଳୟ ପ୍ରଶାସନର ଅନୁପସ୍ଥିତି,ଆବାସିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପଯୁକ୍ତ ଯତ୍ନ ନ ନେଇ ପ୍ରତି ବଦଳରେ ଅବହେଳା ତଥା ଦାୟିତ୍ବ ହୀନତା କାରଣରୁ ଏକ ନିରୀହ ପିଲା ର ଜୀବନ ଚାଲିଯାଇଥିଲା । ତେବେ ଏ ନେଇ ଜିଲ୍ଲା ପ୍ରଶାସନ କିଭଳି ଦାୟିତ୍ବ ନିର୍ବାହ କରିବ ତାହା ଦେଖିବାକୁ ବାକି ରହିଲା ଏ ସବୁ ଦୃଷ୍ଟି ରୁ ଜଣା ପଡ଼ିଛି ଯେ ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ରେ ଆଶ୍ରମ ବିଦ୍ୟାଳୟ ଏକ ପ୍ରକାର ଅଭିଭାବକ ଶୂନ୍ୟ। ଏହି ବିଦ୍ୟାଳୟ ର ପରିଚାଳନା ରେ ଯୋଡ଼ି ହୋଇ ଥିବା ପ୍ରତ୍ୟେକ କର୍ମଚାରୀ ଆଶ୍ରମ ବିଦ୍ୟାଳୟର କାମ କରି ଅର୍ଥ ଲୁଟି ଖାଉଥିବା ଏକ ବେଳେ ନିରୀହ ପିଲାା ଙ୍କ ଜୀବନ ଓ ଭବିଷ୍ୟତ ସହ ଖେଳ ଚାଲିଚି। ସରକାର କ୍ଷତି ପୂରଣ ପ୍ରଦାନ କରି ଦେବେ କିନ୍ତୁ ପିତା ଓ ମାତା ଙ୍କ କୋଳକୁ ସେ ପିଲା କଣ ଫେରେଇ ଆଣିବାକୁ କିଏ ସମର୍ଥ କି? ଏପରି ଚାଲିଚି ମୋ ସରକାର ଙ୍କ ଶିକ୍ଷା ବ୍ୟବସ୍ଥା। ଏଇ ସ୍ପର୍ଶକାତର ବିଷୟ ପାଇଁ ଆଗାମୀ ଦିନରେ ରାଜନୀତି ହେବ କିନ୍ତୁ ନିରୀହ ବାପା ମା ଦେଖିଥିବା ସ୍ବପ୍ନ ସ୍ୱପ୍ନ ରେ ହିଁ ରହି ଯିବ ।

nis-ad
Leave A Reply

Your email address will not be published.