ଆସାମ, ମଣିପୁର ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀମାନ ବିଜେପିର, ସମସ୍ତେ କଂଗ୍ରେସରୁ ଆସିଛନ୍ତି 

ନୂଆଦିଲ୍ଲୀ: ମାଣିକ ସାହା ହୋଇଛନ୍ତି ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆସନ୍ତାବର୍ଷ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବା ବେଳେ ତା’ପୂର୍ବରୁ ହଠାତ୍ ମୁଖ୍ୟମନ୍ତ୍ରୀ ବଦଳାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି, ବିପ୍ଳବଙ୍କ ନେତୃତ୍ୱ ବିରୋଧରେ ଦଳ ମଧ୍ୟରୁ ବିଦ୍ରୋହ ସୃଷ୍ଟି ହୋଇଥିଲା। ଏହାକୁ ପ୍ରଶମିତ କରିବାକୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଏହି ପଦକ୍ଷେପ ନେଇଛନ୍ତି। ତେବେ ବିଜେପିର ଏଭଳି ପଦକ୍ଷେପ ନୂଆ ନୁହେଁ। ପୂର୍ବରୁ ଆଉ କିଛି ରାଜ୍ୟରେ ମଧ୍ୟ ସମାନ ପଦକ୍ଷେପ ନେଇଛି ଦଳ। ଉତ୍ତରାଖଣ୍ଡ, ଗୁଜରାଟ ଓ କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ ବଦଳାଇଛି ଦଳ। ଅନ୍ୟପକ୍ଷରେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବଦଳିବା ସହିତ ଆଉ ଏକ ପ୍ରସଙ୍ଗ ଏବେ ଆଲୋଚନାର ବିଷୟ ପାଲିଟିଛି। ଆସାମ, ମଣିପୁର ଓ ତ୍ରିପୁରାରେ ବିଜେପି ନେତୃତ୍ୱାଧୀନ ସରକାର ଚାଲିଥିବା ବେଳେ ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେମାନେ ସମସ୍ତେ କଂଗ୍ରେସରୁ ଆସିଛନ୍ତି।
ହିମନ୍ତ ବିଶ୍ୱ ଶର୍ମା
ହିମନ୍ତ ବିଶ୍ୱ ଶର୍ମା ୨୦୨୧ରେ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିର୍ବାଚନରେ ଦଳ ଜିତିବା ପରେ ସର୍ବାନନ୍ଦ ସୋନୱାଲଙ୍କ ଠାରୁ ଦାୟିତ୍ୱ ନେଇ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦେଇଥିଲା। ହିମନ୍ତ ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୬ ବିଧାନସଭା ନିର୍ବାଚନ ପାଇଁ ସେ ଜୋରସୋର ପ୍ରଚାର କରିଥିଲେ। ସେହିପରି ୨୦୧୯ ଲୋକସଭା ନିର୍ବାଚନ ପାଇଁ ସେ ଆସାମରେ ଜୋରସୋର ପ୍ରଚାର କରିଥିଲେ। ଏହି ଉଭୟ ନିର୍ବାଚନରେ ଆସାମରେ ବିଜେପିର ବିଜୟ ପାଇଁ ଅଧିକ ଶ୍ରେୟ ହିମନ୍ତଙ୍କୁ ଯାଇଥିଲା।
୨୦୧୬ ବିଧାନସଭା ନିର୍ବାଚନରେ ହିମନ୍ତ ଲଗାତାର ୫ମ ଥର ପାଇଁ ଜାଲୁକବାରୀ ଆସନରୁ ନିର୍ବାଚିତ ହୋଇଥିଲେ। ସେଥର ସେ ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ହିମନ୍ତ ବିଶ୍ୱାସ ଶର୍ମା ୧ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିଥିଲେ। ଆଉ ତାଙ୍କୁ କରାଯାଇଥିଲା ମୁଖ୍ୟମନ୍ତ୍ରୀ।
ବୀରେନ ସିଂହ
ଏନ୍ ବୀରେନ୍ ସିଂହ ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଆଉ ସେଥର ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ମଣିପୁରରେ ଅଣ-କଂଗ୍ରେସ ସରକାର ଗଠନ ହୋଇଥିଲା। ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ ବୀରେନ ସିଂହ। ସେ ହେଉଛନ୍ତି ମଣିପୁରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ବିଜେପି ଓ ସହଯୋଗୀ ଦଳର ୩୩ ଜଣ ବିଧାୟକଙ୍କ ସମର୍ଥନରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥିଲେ। ଚଳିତ ବର୍ଷ ତାଙ୍କ ନେତୃତ୍ୱରେ ବିଜେପି ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲା ଓ ପୁଣି ସରକାର ଗଠନ କରିଛି।
ମାଣିକ ସାହା
୨୦୧୬ରେ ମାଣିକ ସାହା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରେ ସେ ଦଳର ରାଜ୍ୟ ସଭାପତି ହୋଇଥିଲେ। ନିକଟରେ ସେ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ। ସେ ଏବେ ତ୍ରିପୁରା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ବି ଅଛନ୍ତି।
ମାଣିକ ସାହା ଜଣେ ଦନ୍ତ ଚିକିତ୍ସକ। ତାଙ୍କ ଭାବମୂର୍ତ୍ତି ପୂରା ସ୍ୱଚ୍ଛ। ଦଳ ଭିତରେ ସେ ଜଣେ ନିରପେକ୍ଷ ନେତା ଭାବେ ଜଣାଶୁଣା। ସେ ତ୍ରିପୁରା ବିଜେପିରେ ଥିବା ବିଭିନ୍ନ ଗୋଷ୍ଠୀ ମଧ୍ୟରୁ କାହା ସହିତ ଜଡ଼ିତ ନୁହନ୍ତି ବୋଲି କୁହାଯାଏ।

nis-ad
Leave A Reply

Your email address will not be published.