ବିଜେପି ନେତାଙ୍କୁ ଏନସିପି ମୁଖ୍ୟ ଶରଦ ପାୱାର ସମର୍ଥକଙ୍କ ମାଡ଼

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ବିଜେପି ମୁଖପାତ୍ର ବିନାୟକ ଆମ୍ବେକରଙ୍କୁ ଏନସପି କର୍ମୀମାନେ ମାଡ଼ ମାରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନ ମନ୍ତବ୍ୟ ଦେଇ ଦଳୀୟ କର୍ମୀଙ୍କ ରୋଷର ଶିକାର ହୋଇଛନ୍ତି ବିନାୟକ ଆମ୍ବେକର। ବିନାୟକଙ୍କୁ ଆକ୍ରମଣ ବେଳର ଭିଡିଓ ବିଜେପି ପକ୍ଷରୁ ସେୟାର କରାଯାଇଛି। ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ବିନାୟକକୁ ମାଡ଼ ମରାଯାଥିବା ଭିଡିଓ ସେୟାର କରିଛନ୍ତି। ଏନସିପିର ଗୁଣ୍ଡାମାନେ ବିନାୟକଙ୍କୁ ଆକ୍ରମଣ କରିଛନ୍ତି । ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି ବୋଲି ଚନ୍ଦ୍ରକାନ୍ତ ପାଟିଲ ଟ୍ୱିଟ୍‌ କରିଛନ୍ତି। ଏହି ଏନସିପି ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ଉଚିତ ବୋଲି ସେ କହିଛନ୍ତି।
ଭିଡିଓରେ ଆମ୍ବେକରଙ୍କୁ କେତେକ ବ୍ୟକ୍ତି ପିଟୁଥିବା ଦେଖାଯାଇଛି। ଆମ୍ବେକର ନିଜ ଆସନରେ ବସିଥିବା ବେଳେ ଏହି ଘଟଣା ଘଟିଛି । ଶନିବାର ମରାଠି ଅଭିନେତ୍ରୀ କେତକୀ ଚୈତାଳେ ଏବଂ ନିଖିଲ ଭାମରେ ନାମକ ଜଣେ ଛାତ୍ର ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି। ଆଜି ଚୈତାଳେଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ମେ ୧୮ ତାରିଖ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡ ପାଇଁ ଅନୁମତି ମିଳିଛି।
ଅନ୍ୟପକ୍ଷରେଏହି ଘଟଣାକୁ ନେଇ ସାମ୍ବାଦିକମାନେ ଏନସିପି ନେତା ଶରଦ ପାୱାରଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ପାୱାର କହିଛନ୍ତି ଚୈତାଳି କିଏ ମୁଁ ଚିହ୍ନି ନାହିଁ। ସେ ସୋଶାଲ ମିଡିଆରେ କଣ ପୋଷ୍ଟ କରିଛନ୍ତି ତାହା ମଧ୍ୟ ମୁଁ ଜାଣେ ନାହିଁ। ଆପଣ କେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛନ୍ତି ମୁଁ ତାଙ୍କୁ ଜାଣି ନାହିଁ। ସେ କଣ କରିଛନ୍ତି ମୁଁ ମଧ୍ୟ ଜାଣି ନାହିଁ। ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜାଣିଲେ ସମ୍ପୃକ୍ତ ଅଭିନେତ୍ରୀଙ୍କ ବିରୋଧରେ କୌଶସି ଟିପ୍ପଣୀ ଦେବା ଅନୁଚିତ ହେବ ବୋଲି ପାୱାର କହିଛନ୍ତି।

nis-ad
Leave A Reply

Your email address will not be published.