ଭିଜିଲାନ୍ସ ଅଧିକାରୀ ଧରାପଡ଼ିବା ଘଟଣା: ମୁକେଶ ଓ ଇନ୍ସପେକ୍ଟର ମାନସୀ ଗିରଫ

ସମ୍ବଲପୁର,୧୫/୦୫: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଧରାପଡ଼ିବା ଘଟଣା ରାଜ୍ୟବ୍ୟାପୀ ଚହଳ ପକାଇଛି । ଏହି ଘଟଣାରେ ଭିଜିଲାନ୍ସ ସେଲ୍‌ ଏକ ମାମଲା ରୁଜୁ କରି ଇନ୍ସପେକ୍ଟର ଜେନା ଓ ସହଯୋଗୀ ଜମି ମାଫିଆ ମୁକେଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ, ମୁକେଶ ସାହୁ ଓ ଇନ୍ସପେକ୍ଟର ମାନସୀଙ୍କ ମଧ୍ୟରେ ଏଭଳି ଡିଲ୍‌ ପୂର୍ବରୁ କେବେ ହୋଇଥିଲା ନା ନାହିଁ ସେନେଇ ବି ଏବେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

ଉଲ୍ଲେଖଯୋଗ୍ୟ, ବରଗଡ଼ର ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଥିବା ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ବିଭାଗରେ ଏକ ଅଭିଯୋଗପତ୍ର ପଡ଼ିଥିଲା । ଇନ୍ସପେକ୍ଟର ଜେନା ଉକ୍ତ ଅଭିଯୋଗର ଯାଞ୍ଚ କରିବା ପରିବର୍ତ୍ତେ ମାମଲା ରଫାଦଫା କରିବା ସହ ଅଭିଯୋଗପତ୍ରକୁ ଖାରଜ କରିବା ପାଇଁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ । ଏଥିପାଇଁ ବରଗଡ଼ର ଜନୈକ ଜମି ଦଲାଲ୍‌ ମୁକେଶ ସାହୁକୁ ବି ଇନ୍ସପେକ୍ଟର ଜେନା ନିୟୋଜିତ କରିଥିଲେ । କିନ୍ତୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିବା ସରକାରୀ ଅଧିକାରୀଜଣଙ୍କ ଏସମ୍ପର୍କରେ କଟକସ୍ଥିତ ଭିଜିଲାନ୍ସ ମୁଖ୍ୟାଳୟରେ ଅଭିଯୋଗ କରିଥିଲେ ।

ପୂର୍ବ ଯୋଜନା ଅନୁସାରେ, କଟକସ୍ଥିତ ଭିଜିଲାନ୍ସ ମୁଖ୍ୟାଳୟର ଅଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍‌ ଠିକଣା ସମୟରେ ପହଞ୍ଚି ମୁକେଶ ସାହୁକୁ ଧରିଥିଲା । ଏହି ଘଟଣା ପରେ ଇନ୍ସପେକ୍ଟର ମାନସୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିବା ବେଳେ ଏଥିରୁ କ’ଣ କ’ଣ ମିଳିଲା ସେନେଇ କିନ୍ତୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅପରପକ୍ଷେ, ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ପାଇଁ ଭିଜିଲାନ୍ସ ବିଭାଗ ତତ୍ପର ରହିଥିବା ନେଇ ନିର୍ଦ୍ଦେଶକ ଜଶୱନ୍ତ ଜେଠ୍‌ୱା କହିଛନ୍ତି । ରାଜ୍ୟବ୍ୟାପୀ ସରକାରୀ ଅଧିକାରୀଙ୍କ ଉପରେ ବିଭାଗ ନଜର ରଖିଥିବା ବେଳେ ନିଜ ବିଭାଗର ଅଧିକାରୀଙ୍କ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ସେଲ୍‌ କରାଯାଇଥିବା ନେଇ ଶ୍ରୀ ଜେଠ୍‌ୱା ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି ।

ହାବିଲଦାର ଅମୂଲ୍ୟ ବି ଅଟକ

ଗତକାଲି ଭିଜିଲାନ୍ସ ଅଭ୍ୟନ୍ତରୀଣ ୟୁନିଟ୍‌ ଇନ୍ସପେକ୍ଟର ମାନସୀ ଜେନା, ମୁକେଶ ସାହୁଙ୍କୁ ଧରିବା ସହ ଅନ୍ୟ ଜଣେ ପୁଲିସ୍‌ ହାବିଲଦାରକୁ ମଧ୍ୟ ଧରିଥିଲା । ବରଗଡ଼ ପୁଲିସ୍‌ରେ କାର୍ଯ୍ୟରତ ଅମୂଲ୍ୟ ନାମକ ଉକ୍ତ ହାବିଲଦାର ଘଟଣା ସମୟରେ ମୁକେଶ ସହ ଟଙ୍କା ନେଇ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଖବର ଲେଖାହେବା ଯାଏ ହାବିଲଦାର ଅମୂଲ୍ୟ ଅଟକ ରହିଥିବା ବେଳେ ତାକୁ ରାଜସାକ୍ଷୀ କରିବା ନେଇ ବିଭାଗ ଯୋଜନା କରିଥିବା ଜଣାପଡ଼ିଛି । ଯେଉଁଥିପାଇଁ ଅମୂଲ୍ୟକୁ ଧରାଯାଇଥିବା ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଉନାହିଁ ।

୧୦ ଲକ୍ଷରେ କାହା ଭାଗ କେତେ ଥିଲା?

ଇନ୍ସପେକ୍ଟର ମାନସୀ ପିଟିସନ୍‌ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନିଜସ୍ୱ ବିଭାଗର ଅଭ୍ୟନ୍ତରୀଣ ୟୁନିଟ୍‌ ହାତରେ ଧରାପଡ଼ିଥିଲେ । ତେବେ ଏହା ଇନ୍ସପେକ୍ଟର ମାନସୀଙ୍କ ପ୍ରଥମ ଲାଞ୍ଚ ଥିଲା ନା ଏହା ପୂର୍ବରୁ ବି ସେ ପିଟିସନ୍‌ ବନ୍ଦ କରିବା ଆଳରେ ଲୋକଙ୍କଠାରୁ ଟଙ୍କା ନେଉଥିଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଟିସନ୍‌ ବନ୍ଦ କରିବା ଦାୟିତ୍ୱ ଇନ୍ସପେକ୍ଟରଙ୍କ ହାତରେ ନ୍ୟସ୍ତ ଥିଲେ ହେଁ ଏଥିରେ ବଡ଼ବଡ଼ିଆ ଅଧିକାରୀଙ୍କ ଭୂମିକା ବି ରହିଥାଏ । ତେଣୁ ଏହି ଘଟଣାରେ ୧୦ ଲକ୍ଷ ଟଙ୍କାରେ କାହାର କେତେ ଭାଗ ରହିଥିଲା ବୋଲି ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ, ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସ୍‌ପି ଭାବେ ସାରା ଶର୍ମାଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଯୋଗଦେବା ପରଠାରୁ ବିଭାଗୀୟ ଛବି ଅଧିକ ସ୍ୱଚ୍ଛ ହେବା ନେଇ ଲୋକେ ଆଶା କରିଥିଲେ । ମାତ୍ର ଏସ୍‌ପି ଶର୍ମାଙ୍କ ନେତୃତ୍ୱରେ ଚାଲିଥିବା ଡିଭିଜନ୍‌ରେ ଇନ୍ସପେକ୍ଟର ମାନସୀ କିଭଳି ଲାଞ୍ଚ ନେଲେ ସେନେଇ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ ହୋଇଥିବା କୁହାଯାଉଛି ।

nis-ad
Leave A Reply

Your email address will not be published.