ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ ପାଇଁ ମାଗଣା ସୁପରସ୍ପେଶାଲଟି ଚିକିତ୍ସା ସୁବିଧା…

ସୁନ୍ଦରଗଡ଼: ହୃଦରୋଗୀମାନଙ୍କୁ ସୁପରସ୍ପେଶାଲଟି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି। ଶନିବାର ଦିନ ଏହାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଉଦଘାଟନ କରିଛନ୍ତି। ହୃଦରୋଗଜନିତ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ବିଶେଷଜ୍ଞଙ୍କଠାରୁ ମାଗଣାରେ ଚିକିତ୍ସା ଓ ପରାମର୍ଶ ପାଇପାରିବେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁପରସ୍ପେଶାଲଟି ଚିକିତ୍ସା ସେବା ଚଳିତ ମାସ ୨୮ ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବ। ଏଠାରେ ହୃଦରୋଗୀଙ୍କ ପାଇଁ ମାଗଣା ଇସିଜି ପରୀକ୍ଷାର ବ୍ୟବସ୍ଥା ରହିଛି। ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯିବ। ପ୍ରତ୍ୟକ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଅପରାହ୍ଣ ୧ଟାରୁ ୫ଟା ପର୍ଯ୍ୟନ୍ତ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟାନନ୍ଦ ପାଢ଼ୀ ଉପସ୍ଥିତ ରହି ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରିବେ। ଆବଶ୍ୟକ ପଡ଼ିଲେ ସେ ଟେଲିମେଡିସିନ ବ୍ୟବସ୍ଥା ଜରିଆରେ ହୃଦରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇଦେବେ।

‘‘ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗ ପାଇଁ ସୁପରସ୍ପେଶାଲଟି ଚିକିତ୍ସା ସେବା ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରହିଥିଲା। ଏବେ ହୃଦରୋଗ ପାଇଁ ସୁପରସ୍ପେଶାଲଟି ଚିକିତ୍ସା ସୁବିଧା ଆରମ୍ଭ କରାଯାଉଛି। ହୃଦରୋଗଜନିତ ସମସ୍ୟାରେ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ସହାୟକ ହେବ। ବର୍ତ୍ତମାନ ଏହି ଚିକିତ୍ସା ସେବା ମାସକୁ ଦୁଇ ଦିନ ମିଳିବ ରୋଗୀଙ୍କ ଆବଶ୍ୟକତାକୁ ଦେଖି ଏହାକୁ ଆଗାମୀ ଦିନରେ ସଂପ୍ରସାରଣ କରାଯାଇପାରିବ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଏହି ସୁପରସ୍ପେଶାଲଟି ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୁବଶୀଘ୍ର ଇକୋ ମେସିନ ସୁବିଧା କରାଯିବ। ଏହି ଆଧୁନିକ ମେସିନ ସାହାଯ୍ୟରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯିବ। ଏହି ସୁପରସ୍ପେଶାଲଟି ବିଭାଗ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଆଜିର କାର୍ଯ୍ୟକ୍ରମରେ ସିଡିଏମଓଙ୍କ ସହିତ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟାନନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.