ରାଜ୍ୟ ପ୍ରଦୂଷଣ ବୋର୍ଡର ବିନାନୁମତିରେ ପଣ୍ୟ କାରବାର ବଢ଼ାଇଛି ପାରାଦୀପ ବନ୍ଦର

ପାରାଦୀପ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ବାରମ୍ବାର ଉପେକ୍ଷା ଓ ଉଲ୍ଲଂଘନ କରି ଏବେ ଅଡ଼ୁଆରେ ଛନ୍ଦି ହୋଇପଡ଼ିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ(ପିପିଏ) । ୨୦୧୭ ମସିହାରୁ ପଣ୍ୟ କାରବାରରେ ଲଗାତାର ରେକର୍ଡ କରି ଚାଲିଥିବା ପିପିଏ, ଏହି କାରବାର ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଆବଶ୍ୟକ ଅନୁମତି ପାଇନାହିଁ ବୋଲି ଅଭିଯୋଗ ଏବେ ସାମ୍ନାକୁ ଆସିଛି ।

ଏନେଇ ବୋର୍ଡର ପାରାଦୀପସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପିପିଏକୁ ଏକାଧିକ ଥର ନୋଟିସ୍‌ କରାଯିବା ପରେ କଥା ଲୋକଲୋଚନକୁ ଆସିଛି । ଏପରିକି ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିକଟରେ ଭୁବନେଶ୍ୱରରେ ହାଜର ହେବାକୁ ପଡ଼ିଥିବାରୁ ପିପିଏ ଉପରେ ପ୍ରଦୂଷଣ ଛାଟ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

୨୦୧୭-୧୮ ଆର୍ଥିକ ବର୍ଷରେ ୧୦୨.୦୧ ମିଲିଅନ୍‌ ଟନ୍‌, ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ମିଲିଅନ୍‌ ଟନ୍‌, ୨୦୧୯-୨୦ରେ ୧୧୨.୬୯ ମିଲିଅନ୍‌ ଟନ୍‌, ୨୦୨୦-୨୧ରେ ୧୧୪.୫୫ ମିଲିଅନ୍‌ ଟନ୍‌ ପଣ୍ୟ କାରବାର କରିଥିଲା ପିପିଏ । ୨୦୨୧-୨୨ ବର୍ଷରେ ପୁରୁଣା ବର୍ଷର ସବୁ ରେକର୍ଡ ଭାଙ୍ଗି ପିପିଏ ୧୧୬.୧୩ ମିଲିଅନ୍‌ ଟନ୍‌ ପଣ୍ୟ କାରବାର କରି ଭାରତର ସର୍ବବୃହତ୍‌ ବନ୍ଦର ତାଲିକାରେ ସାମିଲ ହୋଇ ସାରିଛି । ହେଲେ ଏତେ ସଫଳତା ବନ୍ଦର ହାସଲ କରିଥିଲେ ହେଁ ପଣ୍ୟ କାରବାର କରିବା ପାଇଁ ଦରକାର ପଡୁଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇ ନଥିବା ଜଣାପଡ଼ିଛି । ବନ୍ଦର ବର୍ଷକୁ ସର୍ବାଧିକ ୯୩.୬ ମିଲିଅନ୍‌ ଟନ୍‌ ପରିମାଣର କାରବାର କରିବାକୁ ପ୍ରଦୂଷଣ ବୋର୍ଡଠାରୁ ଅନୁମତି ପାଇଛି । ଅଥଚ ୨୦୧୭ରୁ ୫ ବର୍ଷ ହେଲା ରାଜ୍ୟ ସରକାରଙ୍କ ନିୟମକୁ ଫୁ’କରି ଉଡ଼ାଇ ଦେଇ ଆସୁଛନ୍ତି ବନ୍ଦର କର୍ତ୍ତୃପକ୍ଷ ।
୨୦୨୦ ନଭେମ୍ବରରେ ପାରାଦୀପରେ ବୋର୍ଡର ନୂଆ ଆଞ୍ଚଳିକ ଅଧିକାରୀ ଯୋଗ ଦେବା ପରେ ଏହା ଉପରେ ପ୍ରଥମେ ଅଭିଯୋଗ ଉଠାଇଥିଲେ । ଏପରିକି ଏନେଇ ବୋର୍ଡ ପକ୍ଷରୁ ପିପିଏକୁ ନୋଟିସ୍‌ କରାଯାଇଥିଲା । ହେଲେ ଏନେଇ ବନ୍ଦର କର୍ତ୍ତୃପକ୍ଷ ବେଫିକର ମନୋଭାବ ପୋଷଣ କରିଥିଲେ । ପୁଣି ଚଳିତ ବର୍ଷ ବୋର୍ଡ ପିପିଏକୁ ଆଉ ଏକ ନୋଟିସ୍‌ ପଠାଇଛି । ୯୩.୬ ମିଲିଅନ୍‌ ଟନ୍‌ କାରବାର କ୍ଷମତା ଥାଇ କିଭଳି ଲଗାତାର ୫ବର୍ଷ ହେଲା କ୍ଷମତାଠାରୁ ଅଧିକ ପଣ୍ୟ କାରବାର କରାଯାଉଛି ସେନେଇ ପିପିଏକୁ କୈଫିୟତ ମଗାଯାଇଛି । ଚଳିତ ମାସ ୨ ତାରିଖରେ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ପିପିଏ କର୍ତ୍ତୃପକ୍ଷଙ୍କୁ ହାଜର ହେବାକୁ ପଡ଼ିଛି । ଏନେଇ ପାରାଦୀପର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଦିଲ୍ଲୀପ କୁମାର ଦାସଙ୍କୁ ପଚରାଯିବାରେ ସେ କହିଛନ୍ତି, ଆମେ ବନ୍ଦରକୁ ଏକାଧିକ ଥର ନୋଟିସ୍‌ କରିଛୁ । ଏହାର ବାର୍ଷିକ କ୍ଷମତା ଅନୁମତି ଅଧିକ ବଢାଇବାକୁ ଏବେ ବନ୍ଦର ଆବେଦନ କରିଛି, ଯାହା ପ୍ରୋସେସିଂରେ ଅଛି । ତେବେ ବୋର୍ଡର ବିନାନୁମତିରେ ବନ୍ଦର କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଧିକ ପଣ୍ୟ କାରବାର କରି ଆସିଥିବାରୁ ଏଥିପାଇଁ ବୋର୍ଡର ନିଷ୍ପତ୍ତି ଅନୁସାରେ ଯାହା କିଛି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।
ଏ ସମ୍ପର୍କରେ ବନ୍ଦର ଲୋକ ସମ୍ପର୍କ ଅଧିକାରୀ ରତିକାନ୍ତ ନାୟକଙ୍କୁ ପଚରାଯିବାରେ ବନ୍ଦରର ସଂପୃକ୍ତ ବିଭାଗ ଅଧିକାରୀଙ୍କଠାରୁ ସେ ସବିଶେଷ ବିବରଣୀ ବୁଝି ଜଣାଇବେ ବୋଲି କହି କଥାକୁ ଏଡ଼ାଇ ଦେଇଛନ୍ତି । ତେବେ ବର୍ଷକୁ ୭୨୨ କୋଟି ଟଙ୍କା ଲାଭ କରୁଥିବା ପିପିଏ ଲଗାତାର ୫ ବର୍ଷ ହେଲା କିଭଳି ରାଜ୍ୟ ସରକାରଙ୍କୁ ଉପେକ୍ଷା କରି ପ୍ରଦୂଷଣ ବୋର୍ଡର ନୀତି ନିୟମକୁ ଉଲ୍ଲଙ୍ଘନ କରିଚାଲିଛି ତାହା ତଥ୍ୟାଭିଜ୍ଞ ମହଲକୁ ଚକିତ କରୁଛି । ପିପିଏ ଲଗାତାର ଭାବେ ରାଜ୍ୟ ସରକାରଙ୍କ ପ୍ରତି ବେଖାତିର୍‌ ମନୋଭାବ ପ୍ରଦର୍ଶନ କରିଆସୁଥିବା ଅଭିଯୋଗ ହେଉଥିବାରୁ ଏ ପ୍ରସଂଗରେ ପିପିଏ ପ୍ରତି କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଜାଣିବାକୁ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବନ୍ଦର କର୍ତ୍ତୃପକ୍ଷ ଲୁହାପଥର ଓ କୋଇଲା ଭଳି ଖଣିଜ ଦ୍ରବ୍ୟ ଚାଲାଣ କରି ପ୍ରଦୂଷଣ ବଢ଼ାଉଥିବା ଓ ପରିବେଶ ନିୟମକୁ ବି ଅଣଦେଖା କରି ଲୋକଙ୍କ ଜୀବନ ସହ ଖେଳୁଥିବା ନେଇ ଅଭିଯୋଗ ଉଠିବା ଆରମ୍ଭ ହୋଇଛି ।

nis-ad
Leave A Reply

Your email address will not be published.