ଆପାର୍ଟମେଣ୍ଟ୍‌ ମାଲିକାନା ମାମଲା: ଫ୍ଲାଟ୍‌ କିଣାବିକା ଉପରେ ହାଇକୋର୍ଟଙ୍କ ରୋକ୍‌

କଟକ: ଫ୍ଲାଟ୍‌ ମାଲିକାନା (ଓନର୍‌ସିପ୍‌)କୁ ନେଇ ‘ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି(ରେରା)’ ଗୋଟେ କଥା କହୁଥିଲାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ‘ଆପାର୍ଟମେଣ୍ଟ ଓନରସିପ୍‌ ଆଇନ’ ଆଉ ଗୋଟେ କଥା କହୁଛି ।

ତେଣୁ ଫ୍ଲାଟ୍‌ର ଜାଗାକୁ ନେଇ ବିବାଦର ସମାଧାନ ହୋଇପାରୁନାହିଁ । ଏହି ସମାଧାନର ବାଟ ବାହାରିବା ପର୍ଯ୍ୟନ୍ତ ରେରା ଆଇନର ଉଲ୍ଲଂଘନ କରୁଥିବା ଫ୍ଲାଟ୍‌ର ପଞ୍ଜିକରଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ବର୍ତ୍ତମାନ ପାଇଁ କୌଣସି ଫ୍ଲାଟ୍‌ର କିଣାବିକା ଉପରେ ଅଦାଲତ ଅନ୍ତରୀଣ ରୋକ୍‌ ଲଗାଇଛନ୍ତି ।

ଅଦାଲତଙ୍କ ଏହି ଅନ୍ତରୀଣ ଆଦେଶକୁ ଇନ୍ସପେକ୍ଟର ଜେନେରାଲ୍‌ ଅଫ ରେଜିଷ୍ଟ୍ରେସନ୍‌ (ଆଇଜିଆର୍‌) ତୁରନ୍ତ କାର୍ଯ୍ୟକାରୀ କରିବେ । କୌଣସି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଫ୍ଲାଟ୍‌ କିଣାବିକା ଯେପରି ନହୁଏ ସେ ସଂକ୍ରାନ୍ତରେ ଆଇଜିଆର୍‌ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ରେରା କର୍ତ୍ତୃପକ୍ଷ, ରାଜ୍ୟ ସରକାର ଏବଂ ଆଇଜିଆର ମଧ୍ୟରେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏକ ବୈଠକ ବସିବ । ଏହି ବୈଠକର ନିଷ୍କର୍ସ ସଂକ୍ରାନ୍ତରେ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଅବଗତ କରାଇବେ । ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ଆସନ୍ତା ଜୁନ୍‌ ୨୨ ତାରିଖକୁ ଧାର୍ଯ୍ୟ ହୋଇଛି ।

ନିୟମ ଅନୁଯାୟୀ, କୌଣସି ଆପାର୍ଟମେଣ୍ଟର ଫ୍ଲାଟ୍‌ ବିକ୍ରିବେଳେ ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗା ଫ୍ଲାଟ୍‌ ଓନର୍ସ ଆସୋସିଏସନ୍‌ ନାମରେ କରାଯାଇଥାଏ । କିନ୍ତୁ ଓଡ଼ିଶାରେ ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗା ଆପାର୍ଟମେଣ୍ଟ ନିର୍ମାତା ନିଜ ମାଲିକାନାରେ ରଖୁଛନ୍ତି । ନିୟମ ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ଫ୍ଲାଟ୍‌ର କିନ୍ତୁ ପଞ୍ଜିକରଣ କରାଯାଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏଥିରେ ରେରା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ରଖାଯାଇଥିଲା । ଏଥିରେ ରେରା ପକ୍ଷରୁ କୁହାଯାଇଥିଲା ଯେ, ଓଡ଼ିଶାରେ ଏହି ଆଇନ ଲାଗୁହେବା ସତ୍ତେ୍ୱ ପ୍ରତ୍ୟେକ ଆପାର୍ଟମେଣ୍ଟର ଆସୋସିଏସନ୍‌ ଗଢାନଯାଇ ତାହାକୁ ପଞ୍ଜିକରଣ କରି ଦିଆଯାଉଛି ।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆପାର୍ଟମେଣ୍ଟ ଓନରସିପ୍‌ ଆଇନ ଅନୁସାରେ ବିଭିନ୍ନ ଫ୍ଲାଟ୍‌ର ପଞ୍ଜିକରଣ କରାଯାଉଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା । ଗୋଟିଏ ଘଟଣାକୁ ନେଇ ପୃଥକ ଆଇନ ଗ୍ରହଣୀୟ ହୋଇନଥିବାରୁ ହାଇକୋର୍ଟ ବର୍ତ୍ତମାନ ପାଇଁ ଫ୍ଲାଟ୍‌ କିଣାବିକା ଉପରେ ରୋକ୍‌ ଲଗାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ଭୋକେଟ୍‌ ଜେନେରାଲ ଅଶୋକ ପରିଜା, ରେରା ପକ୍ଷରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।

nis-ad
Leave A Reply

Your email address will not be published.