ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ପ୍ରସଙ୍ଗ । ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ । ଏନେଇ ସବୁ ଡିଇଓମାନଙ୍କୁ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କଡ଼ା ତାଗିଦ କରିଛନ୍ତି ସଚିବ । ସୂଚନା ଅନୁଯାୟୀ, ୪୩ ହଜାର ୪୮୯ ପିଲା ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ।

ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷା ନଦେବା ଅତ୍ୟନ୍ତ ଚିନ୍ତାର ବିଷୟ । ତେବେ ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି ।

ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି । ଅନ୍ୟପଟେ ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୩ ହଜାର ପିଲା ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ କୋଭିଡ୍ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି ଛାଡ଼ କରିଥିଲେ ସରକାର । ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହୋଇଥିଲା । ସେହି ସମସ୍ତ ପିଲାଙ୍କ ଫର୍ମଫିଲପ୍ କର୍ତ୍ତୃପକ୍ଷ ସ୍ୱତଃ ମାଗଣାରେ କରିଥିଲେ । ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି ତାହାର ତଦନ୍ତ ହେବ । ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ ଏବଂ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଛି ବୋଲି କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

nis-ad
Leave A Reply

Your email address will not be published.