ଭାରତକୁ ଶତ୍ରୁ ଦେଶ କହିଲେ ଶାହିଦ ଆଫ୍ରିଦି, ଜବାବ ଦେଲେ ଦାନିଶ କାନେରିଆ

ନୂଆଦିଲ୍ଲୀ: ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ସଂପ୍ରତି ଯୁକ୍ତିତର୍କ ଲାଗି ରହିଛି। ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏବଂ ପୂର୍ବତନ ସ୍ପିନର ଦାନିଶ କାନେରିଆ ଅନେକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏବେ ଦୁହିଁଙ୍କ ବିତର୍କରେ ଭାରତର ପ୍ରବେଶ ହୋଇଛି। କାରଣ ଦାନିଶ କାନେରିଆ ଆଫ୍ରିଦିଙ୍କୁ ଏକ ବୟାନ ଉପରେ ଜବାବ ଦେଇ କହିଛନ୍ତି, ଭାରତ ଆମର ଶତ୍ରୁ ନୁହେଁ।

ଶାହିଦ ଆଫ୍ରିଦିଙ୍କ ବୟାନ ଉପରେ ଜବାବ ଦେଇ ଦାନିଶ କାନେରିଆ କହିଛନ୍ତି, ଭାରତ ଆମର ଶତ୍ରୁ ନୁହେଁ। ଆମର ଶତ୍ରୁ ହେଉଛନ୍ତି ସେମାନେ ଯିଏ ଧର୍ମ ନାମରେ ଆମକୁ ଉସୁକାଉଛନ୍ତି। ଯଦି ଆପଣଙ୍କୁ ଲାଗୁଛି ଭାରତ ଆମର ଶତ୍ରୁ ତେବେ କୌଣସି ବି ଭାରତୀୟ ଚ୍ୟାନେଲକୁ ଯାଆନ୍ତୁ ନାହିଁ।

ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଦୀର୍ଘ ସମୟରୁ ବିତର୍କ ଜାରି ରହିଛି। ନିକଟରେ ଏକ ସାକ୍ଷାତକାରରେ ଦାନିଶ କାନେରିଆ ଶାହିଦ ଆଫ୍ରିଦିଙ୍କ ଉପରେ ବଡ ଆରୋପ ଲଗାଇଥିଲେ। ସେ କହିଥିଲେ, ଶାହିଦ ତାଙ୍କୁ ଅନେକ ଥର ଇସଲାମ ଧର୍ମ ଆପଣେଇବାକୁ କହିଥିଲେ। ମାତ୍ର ମୁଁ କେବେ ବି ତାଙ୍କ କଥାକୁ ଗମ୍ଭୀରତାର ସହ ନେଇ ନାହିଁ ବୋଲି କାନେରିଆ କହିଛନ୍ତି।

ଏହା ବ୍ୟତୀତ ଶାହିଦ ଆଫ୍ରିଦିଙ୍କ ଉପରେ ଦୁର୍ବ୍ୟବହାର, ହଇରାଣ କରିବା ସମେତ ଅନେକ ଅଭିଯୋଗ ଲଗାଇଥିଲେ କାନେରିଆ। ଏହା ଉପରେ ଜବାବ ଦେଇ ଆଫ୍ରିଦି କହିଛନ୍ତି, ଯଦି ଦାନିଶ କାନେରିଆଙ୍କୁ ମୋ ବ୍ୟବହାରରେ ସମସ୍ୟା ଥିଲା ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ନିକଟରେ କାହିଁକି ଅଭିଯୋଗ କଲେ ନାହିଁ। ସେ ଆମ ଶତ୍ରୁ ଦେଶ ଭାରତକୁ ଇଣ୍ଟରଭ୍ୟୁ ଦେଉଛନ୍ତି।

ଆଫ୍ରିଦି କହିଛନ୍ତି, ଯେଉଁ ବ୍ୟକ୍ତି ମୋ ଉପରେ ଅଭିଯୋଗ ଲଗାଉଛନ୍ତି, ସେ ନିଜ ଚରିତ୍ର ଆଗେ ଦେଖନ୍ତୁ। ସେ କେବଳ ଅର୍ଥ ଏବଂ ଶସ୍ତା ଲୋକ ପ୍ରିୟତା ପାଇଁ ଏମିତି କରୁଛନ୍ତି। ତେଣୁ ତାଙ୍କ କଥା ଉପରେ ଧ୍ୟାନ ଦିଆନଯାଉ। ଶାହିଦ ଏହା ମଧ୍ୟ କହିଛନ୍ତି, ଦାନିଶ କାନେରିଆ ସ୍ପଟ୍ ଫିକ୍ସିଂ କରି ଦେଶକୁ ବଦନାମ କରିଛନ୍ତି।

ସୂଚନାଯୋଗ୍ୟ, ଦାନିଶ କାନେରିଆ ପାକିସ୍ତାନ ପାଇଁ ୬୧ ଟେଷ୍ଟ ଖେଳି ୨୬୧ ଓ୍ଵିକେଟ୍ ନେଇଛନ୍ତି। ଅବସର ପରେ ଦାନିଶ କାନେରିଆ ଅନେକ ଥର ଅଭିଯୋଗ କରିଛନ୍ତି ଯେ, ହିନ୍ଦୁ ହୋଇଥିବା କାରଣରୁ ତାଙ୍କୁ  ପାକିସ୍ତାନୀ କ୍ରିକେଟ୍ ଦଳର ଡ୍ରେସିଂ ରୁମରେ ଦୁର୍ବ୍ୟବହାର କରାଯାଇଛି।

nis-ad
Leave A Reply

Your email address will not be published.