ବାତ୍ୟା ହେବ କି ନାହିଁ, କାଲି ଜଣାପଡିବ, ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ : SRC

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି । ତାଙ୍କ କହିବା ମୁତାବକ, ଘୂର୍ଣ୍ଣିବଳୟ ଆସନ୍ତାକାଲି ଅବପାତର ରୂପ ନେଇପାରେ । ଏହାପରେ ଏହି ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ଆସନ୍ତାକାଲି ଜଣାପଡିବ । ତେବେ ଯଦି ବି ବାତ୍ୟା ଆସେ, ଏହାକୁ ସାମ୍ନା କରିବାକୁ ଓଡିଶା ସରକାର ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପାଇଁ ୧୮ ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହି ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମଧ୍ୟ ସେ ଆଲୋଚନା କରିଛନ୍ତି । ତା ସହିତ ଏନଡିଆରଏଫ୍, ଓଡ୍ରାଫ୍ ଓ ରାଜ୍ୟ ଅଗ୍ନିଶମ ବାହିନୀକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୭ଟି ଏନଡିଆରଏଫ୍, ୨୦ଟି ଓଡ୍ରାଫ୍ ୟୁନିଟ୍ , ୧୭୫ଟି ଅଗ୍ନିଶମ ଟିମ୍ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।

ତେବେ ସମ୍ଭାବ୍ୟ ବାତ୍ୟା ପାଇଁ କେହି ବି ଭୟଭୀତ ହୁଅନ୍ତୁ ନାହିଁ, ବିଶେଷକରି ଲୋକମାନେ ଭୟଭୀତ ହେଇ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ନେଇ ମହଜୁଦ୍ କରନ୍ତୁ ନାହିଁ । ନଚେତ୍ ଲାଭଖୋର ବ୍ୟବସାୟୀମାନେ ଲୋକଙ୍କୁ ଲୁଟିବା ସହଜ ହେବ । ବାତ୍ୟା ହେଲେ ରାଜ୍ୟ ସରକାର ସମସ୍ତ ପ୍ରକାର ଅସୁବିଧାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି । ଅନ୍ୟପଟେ ବାତ୍ୟା କେବେ ଆସିବ, ଗତିପଥ କୁଆଡେ ରହିବ ସେନେଇ କୌଣସି ସୂଚନା ମିଳିପାରିନି ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.