ମେ’ ୧ରୁ ସୁନ୍ଦରଗଡ଼ରେ ଟ୍ରାଫିକ୍ ନିୟମ କଡ଼ାକଡ଼ି, ବିଭିନ୍ନ ରାସ୍ତାରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ କ୍ୟାମେରା

ସୁନ୍ଦରଗଡ଼ (୩୦/୦୪) : ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଏହାକୁ ସୁନିଶ୍ଚିତ କରିବା ପାଇଁ ମେ’ ୧ ତାରିଖରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ତେଣୁ ଟ୍ରାଫିକ୍ ନିୟମ ସଠିକ୍ ଭାବେ ପାଳନ କରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି। ସୁନ୍ଦରଗଡ଼ ସହରରେ ଟ୍ରାଫିକର ସୁପରିଚାଳନା ଲାଗି ସ୍ୱୟଂଚାଳିତ ଟ୍ରାଫିକ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ଯାଇଥିବା ରାଜ୍ୟ ରାଜପଥ, ଜାତୀୟ ରାଜପଥ ଏବଂ ସହରାଞ୍ଚଳର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି।

୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ବିଭିନ୍ନ ରାସ୍ତାରେ କ୍ୟାମେରା ଖଞ୍ଜାଯାଇଛି। ସେହିପରି ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ସହରର ଟ୍ରାଫିକ୍ କ୍ୟାମେରା ନଜରରେ ରହିଛି। ତେଣୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ସମସ୍ତ ଗାଡ଼ି ଚାଳକ ଏବଂ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଏଣିକି କଟିବ ଚାଲାଣ। ମେ’ ୧ ତାରିଖରୁ ଏହାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ରାସ୍ତାରେ ଲାଗିଥିବା ସ୍ୱୟଂଚାଳିତ କ୍ୟାମେରା ବ୍ୟବସ୍ଥା ମାଧ୍ୟମରେ ଚାଳକଙ୍କ ଗାଡ଼ିର ନମ୍ବର ପ୍ଲେଟକୁ ରେକର୍ଡ କରାଯାଇ ପଞ୍ଜୀକୃତ ମୋବାଇଲକୁ ସିଧାସଳଖ ଚାଲାଣ ପଠାଇ ଦିଆଯିବ। ଉଲ୍ଲଂଘନକାରୀଙ୍କୁ ସେହି ଅନୁଯାୟୀ ଜୋରିମାନା ଭରିବାକୁ ପଡ଼ିବ।

ସଡ଼କ ସୁରକ୍ଷା ନିୟମ ଅଧୀନରେ ବିଭିନ୍ନ ରାସ୍ତା ପାଇଁ ନିର୍ଦ୍ଧାରିତ ବେଗଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇବା, ରାସ୍ତାର ବିପରୀତ ଦିଗରେ ଗାଡ଼ି ଚାଳନା, ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇବା, ଗୋଟିଏ ବାଇକରେ ୩ ଜଣ ଆରୋହୀ ବସି ଯିବା ଆସିବା କରିବା, ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବ୍ୟବହାର ନ କରିବା ଏବଂ କୌଣସି ଗାଡ଼ି ଚାଳନା ବେଳେ ମୋବାଇଲ୍ ବ୍ୟବହାର କରିବା ଆଦି ମୋଟର ଯାନ ଆଇନ ଅନୁଯାୟୀ ଦଣ୍ଡନୀୟ।ଏଥିପାଇଁ ପ୍ରତ୍ୟେକ ବର୍ଗରେ ନିର୍ଦ୍ଧାରିତ ଜୋରିମାନା ଆଦାୟ କରାଯିବ।

ବିଭିନ୍ନ ଟ୍ରାଫିକ ଉଲ୍ଲଂଘନ କରିବା, ବେପରୁଆ ତଥା ବିପଜ୍ଜନକ ଭାବେ ଗାଡ଼ି ଚଲାଇବା ଆଦି କାରଣରୁ ସଡ଼କ ଦୁର୍ଘଟଣା ଘଟିଥାଏ। ତେଣୁ ଟ୍ରାଫିକ୍ ନିୟମ ପାଳନ କରି ନିଜ ସହିତ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କୁ ସୁରକ୍ଷିତ ରଖି ପାରିବା।

nis-ad
Leave A Reply

Your email address will not be published.