ରାସ୍ତା ଅବରୋଧ କରି ଆମ୍ବପର୍ବ ପାଳନ ବେଳେ ବାଇକ ଦୁର୍ଘଟଣା ଜଣେ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୁଟମଗୁଡା ଗ୍ରାମରେ ଆଜି ଆମ୍ବପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରି ଚାନ୍ଦା ଆଦାୟ ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ମାଡିଯିବାରୁ ଜଣେ ନାବାଳିକା ମୃତ ଓ ୨ଜଣ ନାବାଳିକା ଗୁରୁତର ଆହତ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଗୁଟମଗୁଡା ଗ୍ରାମରେ ଆଜି କିଛି ସ୍ଥାନୀୟ ଗ୍ରାମବାସୀ ଓ ଯୁବକ ଯୁବତୀ ମାନେ ଆମ୍ବ ପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରିବା ସହ ଯାତାୟାତ କରୁଥିବା ଗାଡି ଗୁଡିକ ଠାରୁ ଚାନ୍ଦା ଆଦାୟ କରୁଥିଲେ । ତେବେ ଏହି ସମୟରେ ହଟାତ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ଏହି ଚାନ୍ଦା ଆଦାୟ କରୁଥିବା ପିଲାଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଏହି ଦୁର୍ଘଟଣା ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଉକ୍ତ ମୋଟର ସାଇକେଲ ଚାଳକ କୁ ଗ୍ରାମବାସୀ ମାନେ ଧରି ମାଲକାନଗିରି ପୋଲିସ କୁ ହସ୍ତାନ୍ତର କରିଛନ୍ତି। ତେବେ ମୃତ ନାବାଳିକା ଜଣଙ୍କ ହେଲା ପ୍ରମିଳା ଦୁରୁଆ ବୟସ ୫ ହୋଇଥିବା ବେଳେ ଆହତ ମାନେ ହେଲେ ମୃତ ପ୍ରମିଳା ଙ୍କ ବଡ଼ ଭଉଣୀ ମିଥିଳା ଦୁରୁଆ ବୟସ ୮ ଓ ଅନ୍ୟଜଣେ ପାରୋ ପଡ଼ିଆମୀ ବୟସ ୬ ବର୍ଷ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.