କେନ୍ଦୁପତ୍ର ବ୍ୟବସାୟରେ ପୁଣି ଶିଶୁ ଶ୍ରମିକ ନିୟୋଜିତ : ନିଘୋଡ଼ ନିଦ୍ରାରେ ଜିଲ୍ଲା ପ୍ରଶାସନ..

ଶିଶୁ ଶ୍ରମିକ ଧର୍ମକୁ ଆଖିଠାର…!

ମାଲକାନଗିରି : ପ୍ରତିବର୍ଷ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହ ବେଳକୁ ଆରମ୍ଭ ହୁଏ କେନ୍ଦୁପତ୍ର ବ୍ୟବସାୟ । ଏହି ସମୟରେ ଚଳ ଚଞ୍ଚଳ ହୋଇପଡନ୍ତି କେନ୍ଦୁପତ୍ର ତୋଳାଳୀ ଓ ବ୍ୟବସାୟୀ। କେନ୍ଦୁପତ୍ର ବ୍ୟବସାୟରେ ପୁଣି ଶିଶୁ ଶ୍ରମିକ ନିୟୋଜିତ । ନିଘୋଡ଼ ନିଦ୍ରାରେ ଜିଲ୍ଲା ଶିଶୁ ବିଭାଗ ଓ ଶ୍ରମ ବିଭାଗ ।ବିଭିନ୍ନ ସ୍ଥାନରେ ସରକାରୀ ଦର ଠାରୁ ଅଧିକ ଟଙ୍କା ନଗଦରେ ଦେଇ କୋଟି କୋଟି ଟଙ୍କାର ବ୍ୟବସାୟ କରନ୍ତି କେନ୍ଦୁପତ୍ର ବ୍ୟବସାୟୀ। ପ୍ରଚଣ୍ଡ ଖରାରେ ସ୍କୁଲ ଛୁଟି ରହୁଥିବା ବେଳେ ଏହାର ଫାଇଦା ନେଉଛନ୍ତି କେନ୍ଦୁପତ୍ର ବ୍ୟବସାୟୀ । ପ୍ରତିବର୍ଷ ଭଳି ଏହି ବର୍ଷ ଏହି ସମୟରେ ବିଭିନ୍ନ ସ୍ଥାନରେ ନଜରକୁ ଆସେ କୁନି କୁନି ଶିଶୁ ଶ୍ରମିକ ଭାବେ କାମ କରୁଥିବା ହୃଦୟ ବିଦାରକ ଦୃଶ୍ୟ। କେତେବେଳ ପରିବାର ଲୋକଙ୍କ ସହ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳୁଥିବାର ଦୃଶ୍ୟ ତ ଆଉ କେତେବେଳେ ଦ୍ୱିପହର ସମୟରେ କେନ୍ଦୁପତ୍ର ଫଡ଼ିରେ ମାତ୍ର କେଇ ପଇସା ପାଇଁ ପତ୍ର ବିଡ଼ା ଓଲାଟାଉ ଥିବାର ଦୃଶ୍ୟ। ଗତକାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଆଦିବାସୀ ବହୁଳ ପଡିଆ ବ୍ଲକ ଅନ୍ତର୍ଗତ ତୁମ୍ଭାଗୁଡା ଗ୍ରାମରେ। ଏହି ଗ୍ରାମରେ ଚଳିତ ବର୍ଷ ପାଇଁ ଖୋଲାଯାଇଥିବା ବେସରକାରୀ ଫଡ଼ି ରେ ୧୦ ରୁ ୧୪ ବର୍ଷର କୁନି କୁନି ପିଲାମାନେ ଦ୍ୱିପହର ସମୟରେ ପତ୍ର ଓଲଟାଉଥିବା ର ଚିତ୍ର ଦେଖିବାକୁ ମିଳିଥିବା ବେଳେ ସେମାନଙ୍କ ପାରିଶ୍ରମିକ ବାବଦରେ ସେମାନଙ୍କ ମୁହଁରୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ମନେ ହୋଇଥିଲା। ପଡିଆ ଠାରୁ କାଲଦାପଲ୍ଲୀ ମୁଖ୍ୟ ରାସ୍ତା କଡରେ ଥିବା ଏହି ଫଡ଼ି ରେ ସେହି ଗ୍ରାମର ତିନିଜଣ କୁନି କୁନି ପିଲା ଦ୍ଵିପହର ସମୟରେ ମାତ୍ର ଏକ ଶହ ଟଙ୍କା ପାଇଁ କେନ୍ଦୁପତ୍ର ବିଡ଼ା ଓଲଟାଉଥିବାର ଦୃଶ୍ୟ ଶିଶୁ ଶ୍ରମିକ ନିୟୋଜିତ ବର୍ବରତା ଚିତ୍ରକୁ ଦର୍ଶାଉଥିଲା। ୪୦ଡିଗ୍ରୀରୁ ଅଧିକ ଗରମ ଅନୁଭୂତ ହେଉଥିବାରୁ ସରକାରଙ୍କ ପକ୍ଷରୁ ୫ ଦିନ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୁନି କୁନି ଶିଶୁଙ୍କୁ ଏଭଳି କାମରେ ଲଗାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ମାତ୍ର କେଇଟା ଟଙ୍କା ଲାଭ ପାଇଁ କେନ୍ଦୁପତ୍ର ବ୍ୟବସାୟୀ ମାନେ ଦୁର୍ଗମ ଅଞ୍ଚଳରେ ଏଭଳି ଶିଶୁ ଶ୍ରମିକ ନିୟୋଜନ ର ଚିତ୍ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲେ ମଧ୍ୟ ଶିଶୁ ବିଭାଗ ପକ୍ଷରୁ ସମସ୍ତ ସ୍ଥାନରେ ଚଢାଉ କରିବା ଏକ ପ୍ରକାର ସମ୍ଭବ ହୋଇପାରୁ ନାହିଁ। ମୁଖ୍ୟତଃ ଦୁର୍ଗମ ଅଞ୍ଚଳରେ ବ୍ୟବସାୟୀ ମାନେ ଶିଶୁ ବିଭାଗ ଆଖିରେ ଧୂଳି ଦେଇ କମ୍ ଦରରେ କୁନିକୁନି ପିଲାଙ୍କୁ କେନ୍ଦୁପତ୍ର ବିଡ଼ା ସଜାଡ଼ିବା, ଓଲଟାଇବା ଭଳି କାମରେ ନିୟୋଜନ କରୁଛନ୍ତି। ଏପରି ସ୍ଥିତିରେ ଶିଶୁ ବିଭାଗ ପକ୍ଷରୁ କେନ୍ଦୁପତ୍ର ଫଡ଼ିରେ ଏଭଳି ଶିଶୁ ଶ୍ରମିକ ନିୟୋଜନ ବିରୋଧ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଭ୍ୟ ସମାଜରେ ଆଲୋଚନା ମାନହେଉ ଅଛି ।

nis-ad
Leave A Reply

Your email address will not be published.