ବନ୍ଧୁକ କାରଖାନାରେ ଚଢ଼ାଉ: ଦେଶୀ ବନ୍ଧୁକ-ଗୁଳି ଜବତ, ୨ ଗିରଫ

ଖୋର୍ଦ୍ଧା : ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଘରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ।

ସୂଚନାନୁସାରେ ଉକ୍ତ ପରିତ୍ୟକ୍ତ ଘରେ କିଛି ଦିନ ହେବ ବନ୍ଧୁକ ତିଆରି କାରଖାନା ଚାଲୁଥିଲା । ଯେଉଁଠାରେ ବିଭିନ୍ନ ପ୍ରକାରର ବନ୍ଧୁକ ତିଆରି ହେବା ସହ ଗୁଳି ମଧ୍ୟ ତିଆରି ହେଉଥିଲା । ତେବେ ଏସମ୍ପର୍କରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୩ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ୨ଶହ ଗ୍ରାମ ଗନ ପାଉଡର, ଖାଲି କ୍ୟାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ।

ସେହିଭଳି ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଅଞ୍ଚଳର ଦିଲୀପ କୁମାର ଦାସ ଓ ଲଙ୍ଗଳେଶ୍ବର ଅଞ୍ଚଳର ତ୍ରିଲୋଚନ ଦାସ । ଉଭୟଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.