ଆତ୍ମସମର୍ପଣ କଲେ ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଶେଷରେ ଆତ୍ମସମର୍ପଣ କରିଛନ୍ତି। ରବିବାର ସେ ଅଦଲାତତର ବିଚାରପତିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଜଣେ ଜେଲ ଅଧିକାରୀ ଏହି ସୂଚନା ଦେଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ଆଶିସ ମିଶ୍ରା ଲଖିମପୁର ଖେରୀ ଜିଲ୍ଲାରେ ଥିବା କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି । ଆଇନଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଗତ ଏପ୍ରିଲ ୧୮ ତାରିଖୋରେ ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ କରି ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇ ଥିଲେ। ତେବେ ଧାର୍ଯ୍ୟ ସମୟକୁ ଗୋଟିଏ ଦିନ ପୁରିବାକୁ ଥିବା ବେଳେ ତା’ପୂର୍ବରୁ ଆଶିଷ ମିଶ୍ରା ଆତ୍ମସମର୍ପଣ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟୋନିଙ୍କ ପୁଅ।
ଲଖିମପୁର ଖେରିରେ କୃଷକଙ୍କ ଉପରେ ଗାଡି ଚଢ଼ାଇବା ମାମଲରେ ଆଶିଷ ମିଶ୍ରାଙ୍କ ନାଁ ସାମ୍ନାକୁ ଆସିଥିଲା। ସେ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମାଣିତ ହେବା ପରେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦର ହାଇକୋର୍ଟରେ ଜାମିନ ମିଳିଥିଲା। ତେବେ ଆହ୍ଲାବାଦ ହାଇକୋର୍ଟର ଏହି ଜାମିନକୁ ଏବେ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ପୁନର୍ବିଚାର କରିବା ଉଚିତ୍। ପୀଡିତ ପକ୍ଷଙ୍କ ଓକିଲ ଦୁଶାନ୍ତ ଦବେ ଅନୁରୋଧ କରିଛନ୍ତି ଯେ ସୁପ୍ରିମକୋର୍ଟ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ କୁହନ୍ତୁ ଯେ, ଏଥର ଏହି ମାମଲାରେ ଅନ୍ୟ କୌଣସି ବେଞ୍ଚ ନିଷ୍ପତି ନିଅନ୍ତୁ। ଏହାର ଉତ୍ତରରେ ସିଜେଇଆ କହିଛନ୍ତି ଏଭଳି ନିର୍ଦ୍ଦେଶ ପାସ୍‌ କରିବା ଠିକ୍ ହେବ ନାହିଁ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଫଳରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ସାମ୍ବାଦିକ ମଧ୍ୟ ଏହି ପୂରା ଘଟଣାରେ ଜୀବନ ହରାଇଥିଲେ।
ଅଭିଯୋଗ ହୋଇଥିଲା ଯେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ର ଓରଫ ମୋନୁ ତାଙ୍କ ଜିପ୍ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଚଢ଼ାଇ ଦେଇଥିଲେ। ଏହି ମାମଲାରେ ଉତ୍ତରପ୍ରଦେଶ ଏସ୍ଏ‌ଆଇଟି ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ଏସଆଇଟି ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲା।

nis-ad
Leave A Reply

Your email address will not be published.