ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟାଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ BJD-BJP, ୧୪୪ ଧାରାଜାରି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ସକାଳେ ଝଣ୍ଡାଚୌକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ଗତକାଲି ବିଜେପି ପକ୍ଷରୁ ଥାନା ଘେରାଉ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା। ଏପଟେ ମୃତକ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ଦେଇଥିବା ଅଭିଯୋଗରେ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଝାରସୁଗୁଡ଼ା ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ପକ୍ଷରୁ ଆନ୍ଦୋଳନ ଦାବି କରିଥିଲେ। ଉଭୟ ପକ୍ଷର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବଂ ଆଇନ୍ଶୃଙ୍ଖଳାକୁ ଦେଖି ଜିଲ୍ଲା ପୁଲିସ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ୧୪୪ ଧାରା ଲାଗୁ କରାଯାଇଥିଲା।

୧୪୪ ଧାରା ଲାଗୁ ସତ୍ତ୍ବେ ଉଭୟ ପକ୍ଷ ଆନ୍ଦେଳନକୁ ଓହ୍ଲାଇଥିଲେ। ଝାରସୁଗୁଡ଼ା ଥାନା ନିକଟ ଝଣ୍ଡାଚୌକଠାରେ ଉଭୟ ପକ୍ଷର ଆନ୍ଦୋଳନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷରୁ ୩୫୦ ଜଣଙ୍କୁ ପୁଲିସ ଅଟକ ରଖିଛି। ଆନ୍ଦୋଳନ ସମୟରେ ବିଜେପିର କର୍ମୀ ଓ ମହିଳା କର୍ମୀଙ୍କୁ ଆକ୍ରମଣ ହୋଇଥିବା ନେଇ ବରିଷ୍ଠ ବିଜେପି ନେତା ଦିନେଶ ଜୈନ ଅଭିଯୋଗ କରିଛନ୍ତି। ଏବେ ଅଞ୍ଚଳ ଉତ୍ତେଜନାପ୍ରବଣ ରହିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଲଳିତଙ୍କ ମୃତଦେହକୁ କାହିଁକି ରାତି ଅଧିଆ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ପୂର୍ବରୁ ବିଜେପି ପକ୍ଷରୁ ଏକ ଦାବିପତ୍ର ଝାରସୁଗୁଡ଼ା ଏସ୍‌ପିଙ୍କୁ ପ୍ରଦାନ ସହ ସିବିଆଇ ତଦନ୍ତ ଦାବି କରାଯାଇଛି। ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ପୁଲିସ ଡିଜି, ବରଗଡ଼ ସାଂସଦ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା।

nis-ad
Leave A Reply

Your email address will not be published.