ମସଜିଦରେ ଭୟଙ୍କର ବିସ୍ଫୋରଣ: ୧୧ ମୃତ, ୪୦ରୁ ଅଧିକ ଆହତ

କାବୁଲ: ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଆଫଗାନିସ୍ତାନର ମଜାର-ଇ-ଶରିଫରେ ଥିବା ଗୋଟିଏ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ କରାଯାଇଛି। ଏହି ମସଜିଦଟି ଶିହା ସଂପ୍ରଦାୟର ଲୋକମାନେ ବ୍ୟବହାର କରନ୍ତି।
ଆଫାଗନିସ୍ତାନରେ ଶାସନ କରୁଥିବା ତାଲିବାନ ସରକାରର ଜଣେ ମୁଖପାତ୍ର କହିଛନ୍ତି, ଗୋଟିଏ ଶିହା ମସଜିଦ ଭିତରରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ କାର୍‌ ଓ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି। ସାଇ ଡୋକେନ ମସଜିଦରେ ଲୋକମାନେ ସମୂହ ନମାଜ ପାଠ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହିଁ ବିସ୍ଫୋରଣ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଥିବା ସେ କହିଛନ୍ତି।
ମସଜିଦ ବ୍ୟତୀତ କାବୁଲ ଓ କୁଣ୍ଡୁଜ ସହରରେ ମଧ୍ୟ ଆଜି ବିସ୍ଫୋରଣ ହୋଇଛି। କ୍ରମାଗତ ଦେଶର ବିଭିନ୍ନ ସ୍ଥାନରେ ୩ଟି ବିସ୍ଫୋରଣ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। କୁଣ୍ଡୁଜରେ ହୋଇଥିବା ବିସ୍ଫୋରଣ ମଧ୍ୟ ୧୧ଜଣ ମୃତାହତ ହୋଇଛନ୍ତି। ତେବେ କାବୁଲ ବିସ୍ଫୋରଣେ କାହାର ଜୀବନ ଯାଇନାହିଁ।
ଅନ୍ୟପକ୍ଷରେ ଘଟଣା ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଏହାର କିଛି ଦିନ ପୂର୍ବରୁ କାବୁଲର ଥିବା ୩ଟି ସ୍କୁଲକୁ ଟାର୍ଗେଟ କରି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଶିକ୍ଷାର୍ଥୀ ଆହତ ହୋଇଥିଲେ।

nis-ad
Leave A Reply

Your email address will not be published.