ଅବୁ ସାଲେମର ଆବେଦନ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅବୁ ସାଲେମ ୨୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ବିରୋଧରେ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ ଉକ୍ତ ଆବେଦନକୁ କେନ୍ଦ୍ର ସରକାର ଅସାମାନ୍ୟ ବୋଲି କହିଛନ୍ତି। ଏଥିସହ ଏହି ଘଟଣାର ନିଷ୍ପତ୍ତି କେନ୍ଦ୍ର ସରକାର ସମୟ ଆସିଲେ ନେବେ ବୋଲି କହିଛନ୍ତି। ଏହା ଶୁଣି ସୁପ୍ରିମକୋର୍ଟ ଖପ୍ପା ହେବା ସହ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଜଷ୍ଟିସ ଏସ୍‌କେ କୌଲ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସତ୍ୟପାଠକୁ ଅଗ୍ରାହ କରିଛନ୍ତି। ସେ କହିଛନ୍ତି, “ନ୍ୟାୟପାଳିକାକୁ ପାଠ ପଢ଼ାନ୍ତୁ ନାହିଁ। ଆପଣ ଯେତେବେଳେ ଆମକୁ କୌଣସି ପ୍ରସଙ୍ଗରେ ନିଜେ ନିଷ୍ପତ୍ତି ନେବା କଥା କହୁଛନ୍ତି ସେତେବେଳେ ଆମେ କେବେ ବି ଏହାକୁ ହାଲୁକା ଭାବେ ନେବୁନାହିଁ। ପୂରା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଆମକୁ କହିବାକୁ କିଏ?”
କେନ୍ଦ୍ର ସରକାର କ’ଣ କହିବାକୁ ଚାହୁଁଛନ୍ତି, ସେସବୁ ବିଷୟ ଆମ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, “ସତ୍ୟପାଠରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲେଖିଥିବା ଶବ୍ଦ ଗୁଡ଼ିକ ଆମକୁ ଆଦୌ ପସନ୍ଦ ଆସୁନାହିଁ। ବିଶେଷ କରି ଉପଯୁକ୍ତ ସମୟରେ ମନ୍ତ୍ରଣାଳୟ ଏହାର ଉପରେ ନିଷ୍ପତ୍ତି ନେବ ବୋଲି ସତ୍ୟପାଠରେ ଲେଖିବା ଆଶ୍ଚର୍ଯ୍ୟଜନକ।”
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସତ୍ୟପାଠରେ କହିଥିଲା ଯେ ଅବୁ ସାଲେମ ମାମଲାରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ଏବେ ଉପଯୁକ୍ତ ସମୟ ନୁହେଁ। ସୁପ୍ରିମକୋର୍ଟ ଚାହିଁଲେ ନିଷ୍ପତ୍ତି ନେଇପାରିବେ। କାରଣ ସୁପ୍ରିମକୋର୍ଟ କାର୍ଯ୍ୟପାଳିକା କିମ୍ବା ଅନ୍ୟ କୌଣସି ଚୁକ୍ତି ମଧ୍ୟରେ ଆବଦ୍ଧ ନୁହନ୍ତି। ନ୍ୟାୟପାଳିକା ନିରପେକ୍ଷ ହୋଇଥିବାରୁ ସୁପ୍ରିମକୋର୍ଟ ନିଜ ଇଚ୍ଛାରେ ଚାହିଁଲେ ନିଷ୍ପତ୍ତି ନେଇ ପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାରେ ଅବୁ ସାଲେମକୁ ଆଜୀବନ ଜେଲଦଣ୍ଡ ମିଳିଛି। ପର୍ତ୍ତୁଗାଲରୁ ତାକୁ ଗିରଫ କରାଯିବା ପରେ ଭାରତ ଅଣା ଯାଇଥିଲା। ପ୍ରତ୍ୟର୍ପଣ ବେଳେ ଭାରତ ସରକାର ପର୍ତ୍ତୁଗାଲ ସହ ଗୋଟିଏ ଚୁକ୍ତି କରିଥିଲେ। ଅବୁ ସାଲେମକୁ ୨୫ ବର୍ଷରୁ ଅଧି ସମୟ ଜେଲଦଣ୍ଡ ମିଳି ପାରିବ ନାହିଁ ବୋଲି ଚୁକ୍ତିରେ ଲେଖାଯାଇଥିଲା। ହେଲେ ସାଲେମକୁ ଆଜୀବ ଜେଲଦଣ୍ଡ ମିଳିଥିବାରୁ ସେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ଆଜି ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଏମଏମ ସୁନ୍ଦରେଶ ଏହାର ଶୁଣାଣି କରିଥିଲେ। ଏଥିସହ ଏହି ମାମଲାର ଶୁଣାଣି ପୁଣି ମେ’ ୫ ତାରିଖରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ସତ୍ୟପାଠରେ କହିଥିଲେ ଯେ ଅବୁ ସାଲେମ ସମ୍ପର୍କରେ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ କରିଥିବା ଚୁକ୍ତିକୁ ଭାରତ ସରକାର ମାନିବାକୁ ବାଧ୍ୟ। ଚୁକ୍ତି ଅନୁସାରେ ୨୫ ବର୍ଷର ଜେଲଦଣ୍ଡ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
୨୫ ବର୍ଷର ସମୟ ଅବଧି ୨୦୩୦ ନଭେମ୍ବର ୧୦ରେ ଶେଷ ହେବ। ତେଣୁ ଉପଯୁକ୍ତ ସମୟ ଆସିଲେ ହିଁ ସରକାର ଏହା ଉପରେ ନିଷ୍ପତ୍ତି ନେବେ। ଏବେଠାରୁ ଏଥିପ୍ରତି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ, ଅବୁ ସାଲେମକୁ ଦୀର୍ଘ ବର୍ଷର ଆଇନଗତ ଯୁଦ୍ଧ ପରେ ୨୦୦୫ ନଭେମ୍ବର ୧୧ରେ ପର୍ତ୍ତୁଗାଲରୁ ଭାରତ ଅଣାଯାଇଥିଲା। ୨୦୧୭ରେ ତାକୁ ମୁମ୍ବାଇ ବିସ୍ଫୋରଣ ଘଟଣାରେ ତା’କୁ ଆଜୀନବ ଜେଲଦଣ୍ଡ ମିଳିଥିଲା।

nis-ad
Leave A Reply

Your email address will not be published.