ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବେ ମାଟ୍ରିକ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି।

ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତା ୨୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯିବ ବୋଲି ବୋର୍ଡ ପକ୍ଷରୁ ଜଣାପଡିଛି। ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲା ଏସପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି। ଦୁଇଟି ସିଟିଂରେ ବୋର୍ଡ ପରୀକ୍ଷା କରାଯାଉଛି। ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ସାଢ଼େ ୧୧ ଟାରୁ ସାଢ଼େ ୧ ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଆଡ଼ମିଟ କାର୍ଡ ଆଜିଠାରୁ ଡାଉନଲୋଡ଼ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରୁ ଡାଉନଲୋଡ଼ ହେଉଛି ମାଟ୍ରିକ ପରୀକ୍ଷା ଆଡ଼ମିଟ କାର୍ଡ। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀଙ୍କ ପାଇଁ ସ୍କୁଲର କୋଡ଼ ଓ ପାସୱାର୍ଡ ଲଗ ଇନ କରି ଡାଉନଲୋଡ଼ କରୁଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ। ସେହିପରି ମଧ୍ୟମା ଓ ପତ୍ର ବିନିମୟ ପରୀକ୍ଷାର୍ଥୀ ନିଜ ନାମ ଓ ବାପାଙ୍କ ନାମ ଲଗ ଇନ କରି ଆଡ଼ମିଟ କାର୍ଡ ଡ଼ାଉନଲୋଡ଼ କରୁଛନ୍ତି।

ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ମେ ୭ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଉଛି ମାଟ୍ରିକ ପରୀକ୍ଷା। ସମେଟିଭ ୧ ଓ ସମେଟିଭ ୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି। ସମେଟିଭ ୧ ପରୀକ୍ଷା ଶେଷ ହୋଇଥିବା ବେଳେ ୨୯ ତାରିଖରୁ ହେବ ସମେଟିଭ ୨ ପରୀକ୍ଷା। ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଯଥା ସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ତିନୋଟି ପଦ୍ଧତିରେ ଏହି ପରୀକ୍ଷା ମୂଲ୍ୟାୟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି। ସମେଟିଭ ୨ ପରୀକ୍ଷା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ।ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପାଇଁ ୨ ଘଂଟାର ସମୟ ସୀମା ରହିବ। କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ।ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା। କୋଭିଡ କଟକଣା ମଧ୍ୟରେ ଚାଲିବ ଏହି ମାଟ୍ରିକ ପରୀକ୍ଷା।

nis-ad
Leave A Reply

Your email address will not be published.