ଅନୁବାଦ ସାହିତ୍ୟ ପରିଷଦଦ୍ବାରା ୧୦ଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବେନଶ୍ବର : ଅନୁବାଦ ସାହିତ୍ୟ ପରିଷଦ ଦ୍ବାରା ପ୍ରକାଶିତ ୧୦ଟି ଅନୁବାଦ ପୁସ୍ତକ ଆଜି ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିରସ୍ଥ ସଭାକକ୍ଷରେ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଏକ ସାରସ୍ବତ ସମାରୋହରେ ସଭାପତିତ୍ବ କରିଥିଲେ ବିଶିଷ୍ଟ ଅନୁବାଦକ ହିମାଂଶୁ ଶେଖର ମହାପାତ୍ର | ମୁଖ୍ୟ ଅତିଥିଭାବେ ଯୋଗଦେଇ ବରିଷ୍ଠ ଅନୁବାଦକ ବିକ୍ରମ କେଶରୀ ଦାସ ସମାରୋହକୁ ଉଦ୍‌ଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା କହିଲେ ଯେ କୌଣସି ଭାଷାର ସାହିତ୍ୟକୁ ଭଲପାଇ ଯଦି ଅନୁବାଦ କରାଯାଏ ତେବେ ତାହା ପାଠକୀୟ ସ୍ବୀକୃତି ଲାଭ କରିବ ଓ ସେ ଅନୁବାଦ ସାର୍ଥକ ହେବ |

ସମ୍ମାନିତ ଅତିଥିଭାବ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ଅସୀତ ମହାନ୍ତି ଏବଂ ଅନୁବାଦକ, ଗାଳ୍ପିକ ତଥା ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅନୁବାଦ ସାହିତ୍ୟର ମାନବୃଦ୍ଧି ଲାଗି ନିଜ ନିଜର ଅଭିମତ ପ୍ରଦାନ କରିଥଲେ | ପ୍ରାରମ୍ଭରେ ଅନୁବାଦ ସାହିତ୍ୟ ପରିଷଦର ଉପସଭାପତି ସୋମେଶ ମହାପାତ୍ର ଅତିଥମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ | ସାଧାରଣ ସଂପାଦକ ତାପସରଂଜନ ତ୍ରିପାଠୀ ଅନୁବାଦ ପରିଷଦର ବିଗତ ୪ବର୍ଷର କାର୍ଯ୍ୟକଳାପ ଉପରେ ସମ୍ୟକ ଦୃଷ୍ଟିପାତ କରିଥିଲେ | ଲୋକାର୍ପିତ ହୋଇଥିବା ୧୦ଟି ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିଥିଲେ ଅନୁବାଦକ ନରେନ୍ଦ୍ର ନାରାୟଣ ଦାସ | ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟତମ ଉପସଭାପତି ମାଳବିକା ପଟେଲ | କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଟ୍ରଷ୍ଟି ଶ୍ବେତାଙ୍ଗ ପଟ୍ଟନାୟକ | ଏହି ସାରସ୍ବତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ, ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷ ଯୋଗଦେଇଥିଲେ |

nis-ad
Leave A Reply

Your email address will not be published.