ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତବର୍ଷଠାରୁ ଯୁକ୍ତଦୁଇ ବିଜ୍ଞାନ କୋଠା ପାଇଁ ପ୍ରଥମ କିସ୍ତି ମଞ୍ଜୁର

ହିଞ୍ଜିଳିକାଟୁ (୧୫।୪) : ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରୁ (୨୦୨୨-୨୩) ଯୁକ୍ତ ଦୁଇ ବିଜ୍ଞାନ ଏକାଦଶ ଶ୍ରେଣୀ ଆରମ୍ଭ ହେବାକୁ ସବୁଜ ସଙ୍କେତ ମିଳିଛି। ଏହି ଖବର ଜଣାପଡ଼ିବା ପରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବି ମହଲରେ ଖୁସିର ଲହରି ଖେଳିଯାଇଛି। ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୫ ଠାରୁ ଆରମ୍ଭ ହୋଇଥିବା ବେଳେ ଗତ ବର୍ଷ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ବିଦ୍ୟାଳୟ ରେ ଯୁକ୍ତ ଦୁଇ ଶ୍ରେଣୀ ନଥିବା କାରଣରୁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅଭିଭାବକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ହୋଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଏହାକୁ ଗୁରୁତ୍ବ ଦେଇ କେନ୍ଦ୍ରୀୟ ସଙ୍ଗଠନ କୁ ଜଣାଇଥିଲେ। ଫଳରେ ଚଳିତ ବର୍ଷ ଠାରୁ ଏକାଦଶ ଶ୍ରେଣୀ ଖୋଲିବା ନିମନ୍ତେ ସବୁଜ ସଙ୍କେତ ମିଳିଛି। ହିଞ୍ଜିଳିକାଟୁ କେନ୍ଦ୍ରିୟ ବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀ ଖୋଲିବା ନେଇ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଠାରୁ ଗତ ୮ରେ ପତ୍ରସଂଖ୍ୟା୧୧୦୩୩୩/୧୫୮ ପ୍ରକାଶ ପରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାର ଆଶା ରଖି ଖୁସି ପ୍ରକଟ କରିଛନ୍ତି। ଏଥି ସହ ହିଞ୍ଜିଳିକାଟୁ କେନ୍ଦ୍ରିୟ ବିଦ୍ୟାଳୟ ରେ ବିଭିନ୍ନ କାରଣରୁ ଦୀର୍ଘ ଦିନ ଧରି ଏହାର ସ୍ଥାୟୀ କୋଠା ନିର୍ମାଣ ହୋଇପାରିନାହିଁ। ଅସ୍ଥାୟୀ ଭାବରେ ହିଞ୍ଜିଳିକାଟୁ କେଭି ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ଚାଲୁଅଛି। ପୂର୍ବରୁ ୧୯.୬୯ କୋଟି ଟଙ୍କା ବ୍ୟୟ ବରାଦ ରେ କୋଠା ନିର୍ମାଣ ନିମନ୍ତେ ଯୋଜନା ହୋଇଥିଲା। ଚଳିତ ବର୍ଷ ଏହାର କୋଠା ନିର୍ମାଣ ନିମନ୍ତେ ୨୦ ଲକ୍ଷ ଟଙ୍କା ପ୍ରାରମ୍ଭିକ କିସ୍ତିରେ ମଞ୍ଜୁର ହୋଇଛି। ଏଥି ନେଇ ଗତ ୯ରେ କେଭିଏସ୍ ନୂଆଦିଲ୍ଲୀ ଅଫିସ ରୁ ହିଞ୍ଜିଳିକାଟୁ କେଭି କୁ ଚିଠି ହୋଇଛି। ସିପିଡବ୍ଲ୍ୟୁ ବିଭାଗ କେଭି ଢାଞ୍ଚାରେ ଏହାର ଡିପିଆର ପ୍ରସ୍ତୁତ କରି ପ୍ରଦାନ ପାଇଁ କୁହାଯାଇଛି। ହିଞ୍ଜିଳିକାଟୁ କେଭି ରେ ଏକାଦଶ ଶ୍ରେଣୀ ଓ ସ୍ଥାୟୀ କୋଠା ନିର୍ମାଣ ନିମନ୍ତେ ପ୍ରାଥମିକ କିସ୍ତି ମଞ୍ଜୁର ପରେ ଅଭିଭାବକ, ବୁଦ୍ଧିଜୀବି, ଛାତ୍ର ଛାତ୍ରୀ ଓ ଶିକ୍ଷକ ଙ୍କ ମଧ୍ୟରେ ଖୁସି ବ୍ୟକ୍ତ କରାଯାଇଛି। ଏଥି ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ, ଆସିକା ସାଂସଦ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେଭିଏସର ଉଚ୍ଚ ଅଧିକାରୀଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଛି।
ଫଟୋ: ଚିଠି ନକଲ

nis-ad
Leave A Reply

Your email address will not be published.