ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ…

-‘ସୋପାନ’ ଅଧୀନରେ ଗର୍ଭବତୀ ଓ ପ୍ରସୂତି ମା’ – ପ୍ରତ୍ୟେକଙ୍କୁ ୧୫୦ ଦିନ ପାଇଁ ରନ୍ଧାଖାଦ୍ୟ
-କିଶୋରୀ ବାଳିକାଙ୍କ ପୋଷଣ ପାଇଁ ସପ୍ତାହରେ ୩ଟି ଅଣ୍ଡା
-ବାର୍ଷିକ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆୟୋଜିତ

ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛି ପ୍ରଶାସନ। ଦୁର୍ଗମ ଅଞ୍ଚଳ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ତ୍ୱରାନ୍ୱିତ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’କୁ ସମଗ୍ର ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି।

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଚଳିତ ମାସ ୧ ତାରିଖରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ସୋପାନ’ କାର୍ଯ୍ୟକ୍ରମ। ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ଅଞ୍ଚଳରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ମଧ୍ୟରେ କୌଣସି ପ୍ରକାର ପୋଷଣ ଅଭାବକୁ ଦୂର କରିବା ପାଇଁ ଆରମ୍ଭ କରାଯାଇଛି ଏହି ବିଶେଷ ପୋଷଣ କାର୍ଯ୍ୟକ୍ରମ।

ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକକୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମିଲ କରିଥିବା ବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଉପଯୋଗ କରି ଜିଲ୍ଲା ପ୍ରଶାସନ ଏବେ ଏହାକୁ ସମସ୍ତ ୧୭ଟି ବ୍ଲକ ଏବଂ ୪ଟି ପୌରାଞ୍ଚଳକୁ ସମ୍ପ୍ରସାରିତ କରିଛି।

ଗୁରୁବାର ଦିନ ସୁନ୍ଦରଗଡ଼ ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ‘ସୋପାନ’ର ଏହି ସମ୍ପ୍ରସାରଣ ଘୋଷଣା କରାଯାଇଛି। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସହ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

“ସୁନ୍ଦରଗଡ଼ ଜିଲ୍ଲାର ଶିଶୁ ଓ ମା’ମାନଙ୍କ ପୁଷ୍ଟି ଆବଶ୍ୟକତାକୁ ସୁନିଶ୍ଚିତ କରିବା ଲାଗି ‘ସୋପାନ’ କାର୍ଯ୍ୟକ୍ରମକୁ ସାରା ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି। ଫଳରେ କୌଣସି ସ୍ଥାନରେ କାହାର ପୋଷଣଜନିତ ସମସ୍ୟା ଥିଲେ ତାହାର ସମାଧାନ ହୋଇପାରିବ। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ବର୍ତ୍ତମାନ ଚାଲିଥିବା ବିଭିନ୍ନ ଯୋଜନା ସହିତ ‘ସୋପାନ’ ଯୋଡ଼ି ହେବା ଫଳରେ ପୋଷଣ କାର୍ଯ୍ୟକ୍ରମ ଏବେ ଅଧିକ ବଳିଷ୍ଠ ହୋଇପାରିବ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

‘ସୋପାନ’ ଅଧୀନରେ ଅତିରିକ୍ତ ସେବା ଭାବେ ଅତି କମ୍ ଓଜନବିଶିଷ୍ଟ ପିଲାମାନଙ୍କୁ ଅଧିକ ପୁଷ୍ଟିଯୁକ୍ତ ଛତୁଆ ଦିଆଯିବ। ଏହି ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ୭୫ ଦିନ ଲାଗି ଛତୁଆ ଦିଆଯିବ। ୧୫ରୁ ୧୯ ବର୍ଷ ବୟସର କିଶୋରୀ ବାଳିକାମାନଙ୍କୁ ସପ୍ତାହରେ ୩ଟି ଲେଖାଏଁ ଅଣ୍ଡା ଦିଆଯିବ। ଯେଉଁମାନେ ଅଣ୍ଡା ଖାଉନାହାନ୍ତି ସେମାନଙ୍କୁ ରାଶି କିମ୍ବା ବାଦାମଯୁକ୍ତ ଲଡ଼ୁ ସହିତ ସ୍ଥାନୀୟ ଅଂଚଳରେ ମିଳୁଥିବା ବିଭିନ୍ନ ଋତୁକାଳୀନ ଫଳ ଦିଆଯିବ।

ସେହିପରି ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ପୁଷ୍ଟି ଆବଶ୍ୟକତା ପୂରଣ ଲାଗି ଅଙ୍ଗନବାଡ଼ି ମାଧ୍ୟମରେ ଏଣିକି ରନ୍ଧା ଖାଦ୍ୟ ଦିଆଯିବ। ଗର୍ଭାବସ୍ଥାରେ ୧୫୦ ଦିନ ଏବଂ ପ୍ରସବ ପରେ ଆଉ ୧୫୦ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସପ୍ତାହର ୬ ଦିନ ପାଇଁ ସୁଷମ ଖାଦ୍ୟ ଯୋଗାଇ ଦେବାକୁ ସ୍ୱତନ୍ତ୍ର ସୂଚୀ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ଜିଲ୍ଲାରେ ଚାଲିଥିବା ମାତୃଜ୍ୟୋତି ଓ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସମ୍ପ୍ରସାରଣର ଶୁଭାରମ୍ଭ କରାଯାଇଛି। ମାତୃଜ୍ୟୋତି ଅଧୀନରେ ସମସ୍ତ ଶିଶୁଙ୍କ ଘରୋଇ ଯତ୍ନର ତଦାରଖ, ୧୭ଟି ପ୍ରସବ କେନ୍ଦ୍ରରେ କଙ୍ଗାରୁ ମାତୃ ଯତ୍ନ ପ୍ରକୋଷ୍ଠ ସ୍ଥାପନ ଏବଂ ମା’ମାନଙ୍କ ପାଇଁ ସ୍ୱତନ୍ତ୍ର କଙ୍ଗାରୁ ମାତୃ ଯତ୍ନ କିଟ୍ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ନବଜାତ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନବଜାତଙ୍କୁ ଡାକ୍ତରଖାନା ନେବା ଆଣିବା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସେହିପରି କୌଣସି ଜଟିଳ ରୋଗରେ ପୀଡ଼ିତ ନବଜାତ ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଆସ୍ଥା ମଦର ଆଣ୍ଡ ଚାଇଲ୍ଡ କେୟାର ହସ୍‌ପିଟାଲ ସହ ବୁଝାମଣା ସ୍ୱାକ୍ଷର କରିଛି ପ୍ରଶାସନ।

ଏହି ଅବସରରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ୯୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ଘରକୁ ଘର ବୁଲି କଫ ନମୁନା ସଂଗ୍ରହ କରିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବେ।

“ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଗୁରୁତ୍ୱପୂର୍ଣ୍ଣ। କୋଭିଡ୍ ମହାମାରୀ ଆମକୁ ଏ କ୍ଷେତ୍ରରେ ଏକ ମହତ୍ ଶିକ୍ଷା ଦେଇଛି। ସ୍ୱାସ୍ଥ୍ୟସେବାରେ ଆଶା କର୍ମୀମାନେ ଆଜି ମେରୁଦଣ୍ଡ ପାଲଟିଛନ୍ତି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଫଳତା ପାଇଁ ସେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ସମସ୍ତ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫ ଜଣ ଆଶାକର୍ମୀ ଓ ୧୭ଟି ଗାଁ କଲ୍ୟାଣ ସମିତିକୁ ପୁରସ୍କୃତ କରାଯାଇଥିଲା। ସେହିପରି ସ୍ୱାସ୍ଥ୍ୟ ଓ ପରିମଳ ପାଇଁ ୪ଟି ପଞ୍ଚାୟତକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ ସ୍ଥଳରେ ସ୍ୱାସ୍ଥ୍ୟ ଓ ପୋଷଣ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା।

୨୦୨୧-୨୨ରେ କାୟାକଳ୍ପ, ପରିବେଶ ଅନୁକୂଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ‘ଲକ୍ଷ୍ୟ’ ଭଳି ସମ୍ମାନଜନକ ପୁରସ୍କାର ଲାଭ କରିଥିବା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ, ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୫ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଦର ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର ଓ ସାଂସଦଙ୍କ ପ୍ରତିନିଧି ସୁକେଶୀ ଓରାମ ଯୋଗ ଦେଇଥିଲେ। ସେହିପରି ଆର୍‌ଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଏଡିପିଏଚ୍‌ଓ ଡାକ୍ତର କାହ୍ନୁଚରଣ ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏନ୍‌ଏଚ୍‌ଏମ୍ ଡିପିଏମ୍ ଶଙ୍କର ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.