ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ନବନିର୍ବାଚିତ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଆଜି ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଶୁଭେଚ୍ଛା ବାର୍ତ୍ତାକୁ ଶାହବାଜ ଗ୍ରହଣ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ପାକିସ୍ତାନ ସବୁବେଳେ ଭାରତ ସହ ଶାନ୍ତିପୂର୍ଣ୍ଣ ଓ ସହଭାଗିତା ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ବୋଲି ସେ ମୋଦିଙ୍କୁ କହିଛନ୍ତି। ଏହାବାଦ ସେ ଜମ୍ମୁ-କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କଥା ମଧ୍ୟ କହିଛନ୍ତି।
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷୀୟ ଶାହବାଜ ଶରିଫଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଭାରତ ସବୁବେଳେ ଶାନ୍ତି ଓ ସ୍ଥିରତା କ୍ଷେତ୍ର ଚାହେଁ, ଯାହା ଆତଙ୍କବାଦ ମୁକ୍ତ ହୋଇଥିବ। ଏପରି କ୍ଷେତ୍ର ପ୍ରସ୍ତୁତ ହେଲେ ଆମେ ବିକାଶର ଚ୍ୟାଲେଞ୍ଜଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବା। ଲୋକଙ୍କ ବିକାଶ ଓ ସମୃଦ୍ଧି ସୁନିଶ୍ଚିତ କରିବାରେ ସକ୍ଷମ ହେବା ବୋଲି ମୋଦି କହିଥିଲେ। ଏହାକୁ ଗ୍ରହଣ କରି ଶାହବାଜ କହିଛନ୍ତି, “ପାକିସ୍ତାନ ସର୍ବଦା ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହେଁ। ଜମ୍ମୁ-କଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ। ଆତଙ୍କବାଦ ସହ ଲଢ଼େଇ କରି ପାକିସ୍ତାନ ଦେଇଥିବା ବଳିଦାନ କଥା ସମସ୍ତେ ଜାଣିଛନ୍ତି। ଆସନ୍ତୁ ଶାନ୍ତି ସୁନିଶ୍ଚିତ କରିବା ଓ ଆମ ଲୋକମାନଙ୍କର ସାମାଜିକ ଏବଂ ଆର୍ଥିକ ବିକାଶ ଉପରେ ଧ୍ୟାନ ଦେବା।”
ସୂଚନାଯୋଗ୍ୟ, ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଅନାସ୍ଥାରେ ଇମ୍ରାନ ଖାନ ହାରିବା ପରେ ଶାହବାଜ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

nis-ad
Leave A Reply

Your email address will not be published.