ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଦିଅ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ମନ୍ତ୍ରୀ ସ୍ବାଇଁ ତାଙ୍କ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି, ଓଡ଼ିଶା ଲୋକଙ୍କର ମୁଖ୍ୟ ଖାଦ୍ୟ ଭାତ ହୋଇଥିବା ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ଗହମ ଯୋଗାଇଦେବା ଯଥାର୍ଥ ନୁହେଁ।

ଏହା ହିତାଧିକାରୀଙ୍କ ଅସନ୍ତୋଷର କାରଣ ହେଉଛି ା କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତ ପ୍ରତିଶତ ଚାଉଳ ନ ଦେଇ ମାସିକ ଆବଣ୍ଟନର ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ଦେଉଛନ୍ତି ା

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩.୨୫୪ କୋଟି ହିତାଧିକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରିଥାଆନ୍ତି, ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ଏହା ଖାଦ୍ୟ ସୁରକ୍ଷା ଆଇନର ନିର୍ଦ୍ଦେଶନାମାକୁ ପୂରଣ କରୁନାହିଁ ା ପୂର୍ବରୁ ଅନେକଥର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହିତାଧିକାରୀଙ୍କ ଚାହିଦା ଅନୁଯାୟୀ ଗହମ ବଦଳରେ ଚାଉଳ ଯୋଗାଇଦେବାକୁ ଅନୁରୋଧ କରାଯାଇଛି ା

ଅପରପକ୍ଷରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଛନ୍ତି ା ପଞ୍ଜାବ ଓ ରାଜସ୍ଥାନ ଭଳି ମୁଖ୍ୟ ଗହମ ବ୍ୟବହାରକାରୀ ରାଜ୍ୟକୁ ଶତ ପ୍ରତିଶତ ଗହମ ଯୋଗାଇ ଦେଉଛନ୍ତି। ସେହିପରି ହରିୟାଣାକୁ କେନ୍ଦ୍ର ପକ୍ଷରୁ ୬୭% ଗହମ ଓ ବାକି ୩୩% ସେହି ରାଜ୍ୟ ଦ୍ୱାରା ସଂଗୃହୀତ ହେଉଥିବା ଅନ୍ୟ ଖାଦ୍ୟଶସ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି ା

ହିତାଧିକାରୀଙ୍କ ହିତ ଦୃଷ୍ଟିରୁ ଚାଉଳ ଓ ଗହମର ଅନୁପାତ ପରିବର୍ତ୍ତନ କରିବା ପାଇଁ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବଙ୍କୁ ୨୦୨୨ ଫେବୃୟାରୀ ୧୮ ରେ ପତ୍ର ଲେଖିଥିଲେ। ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କେନ୍ଦ୍ରମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କ ଅସୁବିଧା ଦୂରକରିବା ପାଇଁ ମନ୍ତ୍ରୀ ସ୍ବାଇଁ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.