କୋଭିଡ୍ ମୃତ୍ୟୁ କ୍ଷତିପୂରଣ ପାଇଁ  ମେ’ ୨୮ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ତାରିଖ

ଭୁବନେଶ୍ୱର: କୋଭିଡ୍‌ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ଯୋଗାଇ ଦିଆଯାଉଛି । ଯେଉଁ ବ୍ୟକ୍ତିମାନେ ଗତ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍‌ରେ ମୃତ୍ୟୁବରଣ କରିଛନ୍ତି ଏବଂ ସେମାନଙ୍କ ନିକଟତମ ସଂପର୍କୀୟମାନେ ଯଦି ଏହି ସହାୟତା ରାଶି ପାଇନାହାନ୍ତି ସେମାନେ ଆବେଦନ ପତ୍ର/ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ ସହିତ ଜିଲ୍ଲାପାଳଙ୍କୁ ଅଫ୍‌ଲାଇନ୍ କିମ୍ବା ଅନ୍‌ଲାଇନ୍‌ରେ ୱେବ୍‌ସାଇଟ୍ ଜରିଆରେ ଆସନ୍ତା ମେ’ ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ।

ସେହିପରି ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ଯଦି କେହି ଭବିଷ୍ୟତରେ କୋଭିଡ୍‌ରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ଆତ୍ମୀୟସ୍ୱଜନ କୋଭିଡ୍ ମୃତ୍ୟୁ ସହାୟତା ରାଶି ନିମନ୍ତେ ମୃତ୍ୟୁ ଘଟିଥିବା ଦିନଠାରୁ ୯୦ ଦିନ ମଧ୍ୟରେ ଅବେଦନ ପତ୍ର/ଦରଖାସ୍ତ ଓ ଆବଶ୍ୟକୀୟ ଦସ୍ତାବିଜ୍ ସହିତ ଜିଲ୍ଲାପାଳଙ୍କୁ ଅଫ୍‌ଲାଇନ୍ କିମ୍ବା ଅନ୍‌ଲାଇନ୍‌ରେ ୱେବ୍‌ସାଇଟ୍ ଜରିଆରେ ଆବେଦନ କରିପାରିବେ । କୌଣସି ଅସୁବିଧା କିମ୍ବା ଦୁରବସ୍ଥା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଉପରୋକ୍ତ ଧାର୍ଯ୍ୟ ସମୟସୀମା ମଧ୍ୟରେ ଯଦି କୌଣସି ଆବେଦନକାରୀ ଏହି ସହାୟତା ନିମନ୍ତେ ଆବେଦନ କରିବାରେ ବିଫଳ ହୁଅନ୍ତି ତେବେ ସେମାନେ ପ୍ରତ୍ୟେକ ଜିଲ୍ଲାରେ ଗଠନ କରାଯାଇଥିବା ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ । ପ୍ରତ୍ୟେକ ଅଭିଯୋଗ ସମାଧାନ କମିଟି ଆବେଦନକାରୀଙ୍କ ତଥ୍ୟ ଆଧାରରେ ଆବଶ୍ୟକୀୟ ଯାଞ୍ଚ ଏବଂ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ । କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମୀୟସ୍ୱଜନଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଏହି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଆବଶ୍ୟକସ୍ଥଳେ ଜନସାଧାରଣ ଦେୟମୁକ୍ତ ସଂଯୋଗ ହେଲପ୍‌ଲାଇନ୍ ନମ୍ବର ୧୫୫୩୫କୁ ଯୋଗାଯୋଗ କରି ସହାୟତା ନେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.