ଦାରିଙ୍ଗବାଡିଠାରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ନିମନ୍ତେ ମହିଳାସଂଘର ଦାବି

ଦାରିଙ୍ଗବାଡ଼ି (୭/୪) : ଦାରିଙ୍ଗବାଡି ଚାରିଛକ ଠାରେ ଯାତ୍ରୀ ବିଶ୍ରାମଗାର ସମେତ ପରିଶ୍ରାଗାର ନିର୍ମାଣ ନିମନ୍ତେ ଦାରିଙ୍ଗବାଡ଼ିର ଆଞ୍ଚଳିକ ମହିଳା ସଂଘ ଦାବି କରିଛନ୍ତି । ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡି ହୋଇଥିବା ସହ ଦାରିଙ୍ଗବାଡ଼ି ବ୍ଲକର ୨୫ ଗୋଟି ପଞ୍ଚାୟତର ମୁଖ୍ୟସ୍ଥଳ ଅଟେ । ହେଲେ ଚାରିଛକ ଠାରେ ଆଜି ପର୍ଯ୍ୟନ୍ତ ଯାତ୍ରୀ ବିଶ୍ରାମଗାର ସହ ପରିଶ୍ରାଗାରର ସୁବିଧା ନାହିଁ । ବିଶ୍ରାମଗାର ନିମନ୍ତେ ତିନି ବର୍ଷ ପୂର୍ବରୁ ଅନୁଦାନ ଟଙ୍କା ଆସିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ହୋଇପାରୁନାହିଁ । ଅନୁଦାନ ଟଙ୍କା ପଡ଼ିରହିଛି । ନିର୍ମାଣ ହେବାକୁ ଥିବା ଜମିରେ ବିବାଦ ରହିଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରୁନାହିଁ । ଦିନ କୁ ଦିନ ଲୋକଙ୍କ ସମସ୍ୟା ବୃଦ୍ଧି ପାଉଥିବା ଯୋଗୁଁ ବିଶ୍ରାମଗାର ଓ ପରିଶ୍ରାଗାରର ନିହାତି ଆବଶ୍ୟକ ରହିଛି । ଏହାକୁ ନଜରରେ ରଖି ଦାରିଙ୍ଗବାଡ଼ି ଆଞ୍ଚଳିକ ମହିଳା ସଂଘ ଏନେଇ ଏକ ଶୋଭାଯାତ୍ରା କରିବା ସହ ଏକ ଦାବି ପତ୍ର ଦାରିଙ୍ଗବାଡ଼ି ତହସିଲଦାର ଚାର୍ଲେସ ନାୟକ ଙ୍କୁ ଦେଇଛନ୍ତି । ମହିଳା ମାନେ ଚାରିଛକ ଠାରୁ ତହସିଲ କାର୍ଯ୍ୟଳୟକୁ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ପୁଣି ଚାରିଛକ ନିକଟ ଜମିରେ ପହଂଚିଥିଲେ । ବାରମ୍ବାର ଅଭିଯୋଗ ହେଉଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଉକ୍ତ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଶ୍ରାମଗାର ହୋଇପାରୁନଥିବା ନାରୀନେତ୍ରୀ ବିଲାସିନି ନାୟକ ଅଭିଯୋଗ କରିଛନ୍ତି । ଯଦି ଯଥାଶୀଘ୍ର ଏହି ଜମିରେ ବିଶ୍ରାମଗାର ନହୁଏ ତାହାଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବା ସହ ରାଜରାସ୍ତା ବନ୍ଦ କରାଯିବ ବୋଲି ମହିଳା ସଂଘ ଚେତେଇ ଦେଇଛି । ଏନେଇ ଆଗାମୀ ୧୧ ତାରିଖରେ ଆଞ୍ଚଳିକ ମହିଳା ସଂଘ ସହ ତହସିଲଦାର ଆଲୋଚନା କରିବେ ବୋଲି ପ୍ରତିସୃତି ଦେଇଥିଲେ । ଏହି ଶୋଭାଯାତ୍ରାରେ ନାରୀନେତ୍ରୀ ସୋନାଲି ପ୍ରଧାନ, ସିମଲାରାଣୀ ପଡ୍ରା, ରିତା ମଳିକ, ଜ୍ୟୋଷ୍ଣା ଦିଗାଲ, ଭାନୁମତି ମଲିକ ସମେତ ବହୁ ମହିଳା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.