ତୈଳଦର ବୃଦ୍ଧିକୁ ନେଇ ଏନଡିଏ ସହଯୋଗୀଙ୍କ ଭିତରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଦେଶରେ ଦୈନିକ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଦରବୃଦ୍ଧି ଯୋଗୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାର କିନ୍ତୁ ନିଦା ବିଷ୍ଣୁ ସାଜିଛନ୍ତି। ଏସବୁ ଭିତରେ ତୈଳଦର ବୃଦ୍ଧିକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିବା ସହଯୋଗୀ ଜନତା ଦଳ(ୟୁ) ପ୍ରତିବାଦର ସ୍ୱର ଉଠାଇଛି। ଜେଡିୟୁର ସାଧାରଣ ସମ୍ପାଦକ କେସି ତ୍ୟାଗୀ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରାଯିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି।
ସେ କହିଛନ୍ତି, “ପେଟ୍ରୋଲ, ଡିଜେଲ ଓ ଏଲପିଜିର ଦରରେ ହୋଇଥିବା ବୃଦ୍ଧିକୁ ଆମେ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଛୁ। ସରକାର ତୁରନ୍ତ ତୈଳ ଓ ଏଲପିଜି ଦର ଯେମିତି ନ ବଢ଼ିବ, ତା’ର ବ୍ୟବସ୍ଥା କରନ୍ତୁ। ୧୫ ଦିନ ମଧ୍ୟରେ ବଢ଼ିଥିବା ଦାମକୁ ପ୍ରତ୍ୟାହାର କରାଯିବା ଗୁରୁତ୍ୱପୂର୍ଣ୍ଣ। କାରଣ ଏହାର ଅତ୍ୟନ୍ତ ଖରାପ ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିବ। ସେହିପରି ବର୍ଦ୍ଧିତ ମୁଦ୍ରାସ୍ଫୀତି ଭୋଟରଙ୍କୁ ମଧ୍ୟ ପ୍ରଭାବିତ କରିବ। ଭୋଟରମାନେ ହିଁ ନିର୍ବାଚନରେ ବେଶ ଉତ୍ସାହର ସହ ଏନଡିଏକୁ ଜିତାଇଥିଲେ। ଦରବୃଦ୍ଧି ସେମାନଙ୍କୁ ପ୍ରଭାବିତ କରୁଛି।”
ଦୁଇ ସପ୍ତାହ ହେଲାଣି ପେଟ୍ରୋଲ ଓ ଡିଜେଲ ଦର ଦୈନିକ ବଢ଼ିବାରେ ଲାଗିଛି। ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ଲେଖାଏ ମହଙ୍ଗା ହୋଇଛି। ୧୫ ଦିନ ମଧ୍ୟରେ ତୈଳଦର ପ୍ରାୟ ୧୦ ଟଙ୍କା ବଢ଼ିଲାଣି।
ଦରବୃଦ୍ଧିର ତାତି ମଧ୍ୟ ସଂସଦରେ ଦେଖିବାକୁ ମିଳୁଛି। ବିରୋଧୀ କଂଗ୍ରେସ ଠାରୁ ଆରମ୍ଭ କରି ଅନ୍ୟ ଦଳ ଗୁଡ଼ିକ ଏହାର ପ୍ରତିବାଦ କରୁଥିଲେ ବି ଦାମ ହ୍ରାସ ପାଉନି। ଏପରି କି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅନ୍ୟ ଦେଶର ଉଦାହରଣ ଦେଇ ଦରବୃଦ୍ଧିକୁ ଠିକ୍‌ ବୋଲି ଦର୍ଶାଇବାକୁ ମଧ୍ୟ ପଛାଉ ନାହାନ୍ତି।
ହରଦୀପ ସିଂହ ପୁରୀ କହିଛନ୍ତି, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସ୍ଥିତି ଯଥେଷ୍ଟ ଭଲ ରହିଛି। ଦରବୃଦ୍ଧି ବହୁତ କମ ରହିଛି। ଭାରତରେ ୫% ଦର ବଢ଼ିଥିବା ବେଳେ ଫ୍ରାନ୍ସ ଓ ଆମେରିକାରେ ଏହା ୫୦% ରହିଛି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.