ମା’ ତାରିଣୀଙ୍କ ୮୬ ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ

କେନ୍ଦୁଝର: ଆସୁଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଚଇତି ପର୍ବ। ଏଥରକ ପାଳିତ ହେବ ମା’ଙ୍କର ୮୬ ତମ ଚଇତି ପର୍ବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି। ଶାଳ ବଣର ରାଣୀଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତେ ତତ୍ପର ହୋଇ ପଡ଼ିଛନ୍ତି।

ନଡ଼ିଆ ରାଣୀଙ୍କର ଏହି ଚଇତି ପର୍ବ ଆସନ୍ତା ୯ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ୭ ଦିନ ଧରି ଚାଲିବ। ଏହି ପର୍ବ ମା’ଙ୍କ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳିତ ହୋଇଥାଏ। କରୋନା ଯୋଗୁ ଗତ ୨ ବର୍ଷ ଧରି ମା’ଙ୍କ ଏହି ଉତ୍ସବ ପାଳନ ବନ୍ଦ ଥିବାରୁ ଏଥରକ ପର୍ବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଚଇତି ପର୍ବ ଅବସରରେ ୭ ଦିନ ଧରି ମା’ ତାରିଣୀ ସୁନାବେଶରେ ଦର୍ଶନ ଦେବେ। ଏହି ସମୟରେ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ ଆଦି ଅନୁଷ୍ଠିତ ହେବ। ପର୍ବ ପାଇଁ ମା’ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଣୁ ଭକ୍ତମାନେ କିଭଳି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଟ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ପର୍ବ ବେଳେ ମା’ଙ୍କ ପୂଜା ପାଇଁ ଅଧିକ ସଂଖ୍ୟକ ପୂଜକ ନିୟୋଜିତ ହେବେ ବୋଲି ପୂଜକ ସଂଘ ପକ୍ଷରୁ କୁହାଯାଇଛି।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପାନିୟ ଜଳ ବ୍ୟବସ୍ଥା କରାଯାଇଛି। ସେହିଭଳି ଅଂଶୁଘାତର ମୁକାବିଳା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମଧ୍ୟ ତିଆରି ହୋଇଛି। ମନ୍ଦିର ପରିସର ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ ହେବେ। ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖିବେ। ଏଥିସହ ଚଇତି ପର୍ବରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଓ ଯୁବକ ସଂଘମାନେ ସହଯୋଗର ହାତ ବଢ଼ାଇଛନ୍ତି। ତେବେ ଏହି ଚଇତି ପର୍ବ ଅବସରରେ ସାତ ଦିନ ଧରି ମା’ଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ, ବାଦିପାଲା ଆଦି ଅନୁଷ୍ଠିତ ହେବ। ଫଳରେ ମା’ଙ୍କ କ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ।

nis-ad
Leave A Reply

Your email address will not be published.