ବିଶ୍ବବିଜୟୀ ଦାଶ
ଖୋର୍ଦ୍ଧା : ମାଟି ମା’କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଉଭୟଙ୍କ ନାମ ଓଡ଼ିଶା ଇତିହାସ ର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।ପରାଧିନ ଭାରତରେ ଓଡ଼ିଶା ର ଅଧିକାଂଶ ଗଡ଼ଜାତର ରାଜା ମାନେ,ବ୍ରିଟିଶ୍ ସରକାରର ବାହୁଛାୟା ତଳେ ରହି ପ୍ରଜା-ଶୋଷଣରେ ମାତିଥିଲେ।ଗଡ଼ଜାତ ରେ ଶାସନ ବୋଲି କିଛି ନଥିଲା।ପ୍ରଜାଙ୍କୁ ବଳପୂର୍ବକ ବେଠି ଖଟାଯାଉଥିଲା,ମାଗଣା ଭେଟି ଦେବାକୁ ପଡ଼ୁଥିଲା।
ବିଚ଼ାର ନାମରେ ପ୍ରହସନ ହେଉଥିଲା,ପ୍ରଜାମାନଙ୍କୁ ରାଜା ଙ୍କ ଅତ୍ୟାଚ଼ାର ରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରଜାମଣ୍ଡଳ ଗଠନ କରି ଆନ୍ଦୋଳନ ଆରମ୍ଭ କରାଯାଇଥିଲା।ରଣପୁର ଅଞ୍ଚଳରେ ପ୍ରଜା ମଣ୍ଡଳକୁ ସଂଗଠିତ କରାଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଦୁହେଁ ଥିଲେ ଶିକ୍ଷିତ,ସ୍ବାଭିମାନୀ।ରଣପୁର ଗଡ଼ଜାତ ଅନ୍ତର୍ଗତ ବାଦଭୂଇଁ ରେ ଜନ୍ମଗ୍ରହଣ କରିଥିଲେ ରଘୁ ଏବଂ ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମଲାଭ କରିଥିଲେ ଦିବାକାର।ରଣପୁର ପ୍ରଜା ମଣ୍ଡଳ ର ସଂପାଦକ ଓ ସଂଗଠନ ସଂପାଦକ ଥିଲେ ଯଥାକ୍ରମେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଏହି ଦୁଇ ପ୍ରଚ଼ଣ୍ଡ ଦେଶପ୍ରେମୀ ଯୁବକଙ୍କ ନେତୃତ୍ବରେ ରଣପୁର ପ୍ରଜା ଆନ୍ଦୋଳନ କ୍ରମଶଃ ଶକ୍ତିଶାଳୀ ହୋଇଥିଲା।ନିଜର ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା।ଏତାଦୃଶ୍ୟ ଦେଖି ଇଂରେଜ ସରକାର ଭୟଭୀତ ହୋଇଥିଲେ। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ରାଜା ତଥା ପଲଟିକାଲ ଏଜେଣ୍ଟଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ।ସେତେବେଳେ ମେଜର ବେଜେଲଗେଟ୍ ଥିଲେ ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସମୂହ ର ପଲଟିକାଲ ଏଜେଣ୍ଟ। ସେ ରାଜାଙ୍କ ପକ୍ଷରୁ ପ୍ରଜା ଅତ୍ୟାଚ଼ାରରେ ସାମିଲ ଥିଲେ।ପରବର୍ତ୍ତି ସମୟରେ ମିଥ୍ୟା ସାକ୍ଷୀ ପ୍ରମାଣ ଯୋଗାଡ଼ କରି ରାଜନୈତିକ ଏଜେଣ୍ଟ ବେଜେଲଗେଟ୍ ଙ୍କ ହତ୍ୟା ଅଭିଯୋଗରେ ରଘୁନାଥ ଓ ଦିବାକର ଙ୍କୁ ଗିରଫ କରି ବିହାର ର ଭାଗଲପୁର ଜେଲ୍ କୁ ପଠାଯାଇଥିଲା।ଅନେକ କେସ୍ ଲଢ଼ିବା ପରେ ମଧ୍ୟ ରଘୁ-ଦିବାକରଙ୍କ ସପକ୍ଷରେ ଯାଇନଥିଲା। ଶେଷରେ ରଘୁ-ଦିବାକରଙ୍କୁ ୧୯୪୧ ମସିହା ଅପ୍ରେଲ ୪ ତାରିଖରେ ବିହାର ର ଭାଗଲପୁର ଜେଲ ରେ ଫାଶୀ ଦଣ୍ଡ ଦିଆଯାଇଥିଲା।ଶହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ। ତାଙ୍କର ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ ଦେଶ ସ୍ବାଧୀନତା ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା। ଆଜିର ଯୁବପିଢ଼ି ରଘୁଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି।ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଚ଼ିର ସ୍ମରଣୀୟ ହୋଇ ରହିବ।
ଆଜି ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।