ମସଜିଦଗୁଡିକରୁ ହଟାଯାଉ ଲାଉଡସ୍ପିକର୍‌ : ମହାରାଷ୍ଟ୍ର ନବନିର୍ବାଣ ସେନା ପ୍ରମୁଖ ରାଜ ଠାକରେ

ମୁମ୍ବାଇ: ମସଜିଦଗୁଡିକରୁ ହଟାଯାଉ ଲାଉଡସ୍ପିକର୍‌। ନଚେତ ମସ୍‌ଜିଦ ସାମ୍ନାରେ ବାଜିବ ହନୁମାନ ଚାଳିଶା। ଏଭଳି କିଛି ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ନବନିର୍ବାଣ ସେନା ପ୍ରମୁଖ ରାଜ ଠାକରେ। ଜୋର ଶବ୍ଦରେ ମସଜିଦରେ ନମାଜ ପଢା ଯିବାକୁ ସେ ବିରୋଧ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏହି ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ମଧ୍ୟ ରାଜ ଅନୁରୋଧ କରିଛନ୍ତି।
ମୁମ୍ବାଇର ଶିବାଜୀ ପାର୍କ ଅଞ୍ଚଳରେ ଆୟୋଜିତ ଏକ ରାଲିରେ ନିଜ କର୍ମୀଙ୍କୁ ଉଦବୋଧନ ଦେଇ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜଠାକରେ କହିଥିଲେ, ‘ମସଜିଦ ଗୁଡିକରେ ମାଇକ ଲଗାଇ ଜୋର ସାଉଣ୍ଡରେ ସହିତ ନମାଜ ପାଠ କରାଯାଉଛି । ଯଦି ଏହାକୁ ମହାରାଷ୍ଟ୍ର ସରକାର ନ ରୋକନ୍ତି ତା ହେଲେ ମସଜିଦ ବାହାରେ ଆମେ ହନୁମାନ ଚାଳିଶା ପାଠ କରିବୁ।
ଏହା ସହିତ ରାଜ ଠାକରେ କହିଥିଲେ, ‘ମୁଁ ବ୍ୟକ୍ତିଗତ ଭାବରେ ପ୍ରାର୍ଥନା ଅଥବା କୌଣସି ଧର୍ମ ବିରୋଧରେ ନୁହେଁ। ମୁଁ ମୋ ଧର୍ମକୁ ସମ୍ମାନ କରିଥାଏ।’ ଏଥିସହିତ ସେ ମୁସଲିମ ବସ୍ତିରେ ଥିବା ମଦରାସା ଉପରେ ରେଡ୍‌ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କରିଥିଲେ। ଏଠାରେ ପାକିସ୍ତାନ ସମର୍ଥକମାନେ ରହୁଛନ୍ତି। ସେଠାରେ କ’ଣ ଘଟୁଛି ମୁମ୍ବାଇ ପୁଲିସ ଜାଣିଛି। ଭୋଟ୍ ବ୍ୟାଙ୍କ ପାଇଁ ବିଧାୟକମାନେ ଏପରି ଲୋକଙ୍କୁ ବ୍ୟବହାର କରୁଛନ୍ତି। ଏହିପରି ଲୋକଙ୍କ ପାଖରେ ଆଧାର କାର୍ଡ ମଧ୍ୟ ନାହିଁ, କିନ୍ତୁ ଏମାନଙ୍କୁ ବିଧାୟକ କରାଯାଉଛି ବୋଲି ଏମ୍‌ଏନ୍‌ଏସ୍‌ ମୁଖ୍ୟ ଅଭିଯୋଗ ଆଣିଛନ୍ତି।
ଏହି ଅବସରରେ ନିଜ ଦାଦା ପୁଅ ଭାଇ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ସମାଲୋଚନା କରିଥିଲେ ରାଜ୍ ଠାକରେ। ଯେଉଁ ଶକ୍ତିଙ୍କ ବିରୋଧରେ ଲଢିବା ପାଇଁ ଲୋକ ଭୋଟ ଦେଇଥିଲେ ସେହି ଶକ୍ତି ସହିତ ହାତ ମିଶାଇ ସେ ମହାରାଷ୍ଟ୍ର ଜନତାଙ୍କୁ ଠକିଛନ୍ତି ବୋଲି ରାଜ ଅଭିଯୋଗ କରିଛନ୍ତି । ସେହିପରି ସରକାରରେ ରହିଥିବା ଶରଦ ପୱାରଙ୍କ ଏନସିପି ମହାରାଷ୍ଟ୍ରରେ ଜାତିବାଦକୁ ପ୍ରୋତ୍ସାହନ ଦେଉଛି ବୋଲି କହିଛନ୍ତି ଏମଏନଏସ ମୁଖ୍ୟ।

nis-ad
Leave A Reply

Your email address will not be published.