ରାଜଧାନୀରେ ମିରିଣ୍ଡା ଗ୍ୟାଙ୍ଗ୍‍ ଆତଙ୍କ

ଭୁବନେଶ୍ୱର: ଗତ କିଛି ଦିନ ହେବ ନୂଆପଲ୍ଲୀ ଥାନା ଅଞ୍ଚଳରେ କେବିଏନ୍‍ ଗ୍ୟାଙ୍ଗର ଆତଙ୍କ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା। ହେଲେ ଏବେ ମିରିଣ୍ଡା ଗ୍ୟାଙ୍ଗ୍‍ ନୂଆପଲ୍ଲୀରେ ମୁଣ୍ଡ ଟେକିଛି। ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ ମଦ ନିଶାରେ ଆତଙ୍କ ରଚାଉଛନ୍ତି। ଯାହାକୁ ପାଉଛନ୍ତି ଲୁହାରଡ୍‍, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରୁଛନ୍ତି।

ଏହି ଗ୍ୟାଙ୍ଗର ଆତଙ୍କ ଗୁରୁବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ମମତାଜ୍‍ ଅଲ୍ଲୀ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି। ନିକଟରେ ଥିବା ଏକ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଦୋକାନୀଙ୍କୁ ଲୁହାରଡ୍‍ ଏବଂ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ହୋଇଥିବା ଦୋକାନୀ ଜଣଙ୍କ ହେଲେ ପ୍ରଦ୍ୟୁମ୍ନ କୁମାର ଦାଶ ଓରଫ କାଳିଆ। ତାଙ୍କ ପତ୍ନୀ ଗୀତାଞ୍ଜଳି ଦାଶ ଥାନାରେ ଅଭିଯୋଗ ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଆକ୍ରମଣ ପରେ ଏହି ଗ୍ୟାଙ୍ଗ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ କାଳିଆ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଗରମ ହେଉଥିବାରୁ କାଳିଆ କିଛି ସମୟ ଉକ୍ତ ଦୋକାନ ଆଗରେ ଛିଡ଼ା ହୋଇଥିଲେ। ଏହି ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ୭ରୁ ଊର୍ଦ୍ଧ୍ବ ଆସିଥିଲେ। ଏହି ଗ୍ୟାଙ୍ଗର ମୁଖ୍ୟ ମିରିଣ୍ଡା ମଧ୍ୟ ସେମାନଙ୍କ ସହ ରହିଥିଲା। କାଳିଆ କିଛି କହିବା ଆଗରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ସେ ବିରୋଧ କରିବାରୁ ସମସ୍ତେ ମିଶି ତାଙ୍କୁ ମାଡ଼ ମାରିଥିଲେ। ପରେ ଲୁହାରଡ୍‍ ଏବଂ କାଠ ଫାଳିଆରେ ନିର୍ଘାତ ପିଟିଥିଲେ। ତାଙ୍କ ମୁହଁ, ଗୋଡ଼, ହାତ ଏବଂ ପିଠିରେ ଗଭୀର ଆଘାତ ଲାଗିଛି। ସେଠାରେ ଆକ୍ରମଣ କରିବା ପରେ ମମତାଜ ସ୍କୁଲ ନିକଟରେ ରହୁଥିବା ଜଣେ ସାମ୍ବାଦିକ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ପୁରୀ ଯିବା ପାଇଁ ସାମ୍ବାଦିକ ଏବଂ ତାଙ୍କ ବନ୍ଧୁମାନେ ପ୍ରସ୍ତୁତ ହେଉଥିଲେ। ଜଣେ ସାଙ୍ଗ ଘର ଆଗରେ ଗାଡ଼ି ଉପରେ ବସିଥିବା ବେଳେ ଅନ୍ୟମାନେ ଘର ଭିତରେ ଥିଲେ। ହଠାତ ୭ଜଣ ଅଭିଯୁକ୍ତ ଆସି କଣ ପାଇଁ ଆମକୁ ଗାଳି ଦେଲୁ ବୋଲି କହିଥିଲେ। ପରେ ତାଙ୍କୁ ଘୋଷାଡ଼ି ଆଣି ପିଟିବାକୁ ଉଦ୍ୟମ କରିଥିଲେ। ଘର ଭିତରେ ଥିବା ସାମ୍ବାଦିକ ଏବଂ ଅନ୍ୟମାନେ ଏହାକୁ ଅଟକାଇବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ମାରିବାକୁ ଗୋଡ଼ାଇଥିଲେ। ଖବର ପାଇ ପିସିଆର ଠିକ୍‍ ସମୟରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ଏଭଳି ଆତଙ୍କ ପରେ ନୂଆପଲ୍ଲୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

nis-ad
Leave A Reply

Your email address will not be published.