ସ୍ମାର୍ଟ ସିଟି ରାଉରକେଲା ରେ ଖୋଲିଲା “ମିଲେଟ ଶକ୍ତି କାଫେ”

ରାଉରକେଲା (୩୧/୦୩) : ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି କାଫେ। ବୁଧବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଉଦଘାଟନ କରିଛନ୍ତି। ବିଶ୍ରା ଅଞ୍ଚଳର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ୱ ଦିଆଯାଇଛି।
‘‘ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଉଛି। ଜିଲ୍ଲାର ବ୍ଲକସ୍ତରରେ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଖୋଲାଯାଉଥିବା ବେଳେ ରାଉରକେଲା ସହରରେ ଆଜି ଗୋଟିଏ କାଫେ ଖୋଲାଯାଇଛି। ଏହା ଦ୍ୱାରା ଜନସାଧାରଣଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳିବା ସହ ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ାଯାଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରାଯାଉଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ମିଲେଟ୍ ଶକ୍ତି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଜଳଖିଆ ଏବଂ କୁକିଜ୍ ମିଳିପାରିବ। ସେଥିରେ ରହିଛି ବିସ୍କୁଟ, ମିକ୍ସଚର, କୁରୁମା, ସେଉ, ମୁଡକି, ଚାଓମିନ, ନିମିକି, ମଣ୍ଡାପିଠା, ଆରିସା ପିଠା, ବାଦାମ ପକୋଡ଼ା, ଛତୁଆ, ସୁପ୍, ପିଜା, ଚା, କଫି। ଏହାସହ ଘରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ମାଣ୍ଡିଆ ଚୂନା, ଜହ୍ନା ଚୂନା, ବାଜରା ଚୂନା, ସୁଆଁ ଚାଉଳ, କାଙ୍ଗୁ ଚାଉଳ, କୋଦ ଚାଉଳ, ବାନ୍ୟାର୍ଡ ମିଲେଟ୍ ଚାଉଳ ଏବଂ ବ୍ରାଉନ ଟପ୍ ମିଲେଟ୍ ଚାଉଳ ଆଦି ମିଳିବ।
ତା’ଛଡ଼ା ଏହି କାଫେରେ ଇଡଲି, ବରା, ସିଙ୍ଗଡ଼ା, ଆଳୁଚପ, ଖେଚୁଡ଼ି, ପୁରୀ, ଜିଲାପି ଆଦି ଭଳିକି ଭଳି ସୁଆଦିଆ ଖାଦ୍ୟ ମିଳିବ। ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ିଙ୍କ ପାଇଁ ମିଲେଟ୍ ଶକ୍ତି କାଫେ ବିଶେଷ ସହାୟକ ହେବ। ସେମାନେ ଏହି କାଫେରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ଖାଇପାରିବେ।
ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ସହିତ ୬ଟି ବ୍ଲକରେ ଖୋଲିଥିବା ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।
ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୨୦୨୧-୨୨ରେ ୩,୮୪୯ ହେକ୍ଟର ଜମିରେ ୮ ହଜାରରୁ ଅଧିକ ଚାଷୀ ପୁଷ୍ଟିଶସ୍ୟ ଚାଷ କରିଥିଲେ।
ଗତ କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାକ୍ରମେ କୁଆଁରମୁଣ୍ଡା, ନୂଆଗାଁ, ହେମଗିର, ଲେଫ୍ରିପଡ଼ା ବ୍ଲକରେ ଟିଫିନ ସେଣ୍ଟର ଖୋଲାଯାଇଛି।
ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ଏବଂ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ନିକିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ମିଲେଟ୍ ଶକ୍ତି କାଫେ ଉଦଘାଟନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାଣ୍ଡିଆରୁ ପ୍ରସ୍ତୁତ କରିଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।

nis-ad
Leave A Reply

Your email address will not be published.