ମନରେଗା ଯୋଜନାରେ ଅର୍ଥ ହ୍ରାସ କରୁଥିବାରୁ ଆପତ୍ତି ଉଠାଇଲେ ସୋନିଆ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମନରେଗା ଯୋଜନା ପାଇଁ ସରକାର ବଜେଟରେ ଅର୍ଥ ହ୍ରାସ କରୁଥିବାରୁ ଆପତ୍ତି ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଆଜି ଲୋକସଭାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ମନରେଗା ବଜେଟ ପରିମାଣ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।
ସୋନିଆ ଲୋକସଭାରେ କହିଛନ୍ତି ଯେ ୨୦୨୦ ତୁଳନାରେ କେନ୍ଦ୍ର ସରକାର ମନରେଗା ବଜେଟ ୩୫% ହ୍ରାସ କରିଛନ୍ତି। ଦେଶରେ ବେକାରୀ ସମସ୍ୟା କ୍ରମାଗତ ଭାବେ ବଢ଼ୁଥିବା ବେଳେ ମନରେଗା ବଜେଟ ହ୍ରାସ କରିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କିଛି ବର୍ଷ ତଳେ ଅନେକ ଲୋକ ମନରେଗାକୁ ତାଚ୍ଛଲ୍ୟ କରିଥିଲେ। ହେଲେ ମହାମାରୀ କରୋନା ଓ ଲକଡାଉନ ବେଳେ ଏହି ଯୋଜନା ଅନେକଙ୍କ ଜୀବନ ରକ୍ଷା କରିଥିଲା। ସରକାରଙ୍କ ଗାଦିକୁ ମଧ୍ୟ ମନରେଗା ସୁରକ୍ଷା ଦେଇଛି। ତଥାପି ମନରେଗା ବଜେଟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ବଜେଟ ହ୍ରାସ ଯୋଗୁ ଶ୍ରମିକମାନେ ଠିକଣା ସମୟରେ ସେମାନଙ୍କ ପ୍ରାପ୍ୟ ପାଇ ପାରୁ ନାହାନ୍ତି। ଏହାକୁ ସୁପ୍ରିମକୋର୍ଟ ମଧ୍ୟ ସମାଲୋଚନା କରିଥିଲେ।
ବଜେଟ ହ୍ରାସ ଯୋଗୁ ସମୟ ଅନୁସାରେ ପାଉଣା ମିଳିବା ଓ ଚାକିରି କ୍ଷେତ୍ର ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ କେନ୍ଦ୍ର ସରକାର ଠିକଣା ସମୟରେ ପ୍ରାପ୍ୟ ଦେବାକୁ ଆଇନଗତ ପଦକ୍ଷେପ ନିଅନ୍ତୁ ଓ ବିଳମ୍ବ ନ କରି ରାଜ୍ୟଗୁଡ଼ିକ ପାଇଁ ବାର୍ଷିକ ଆକ୍ସନ ପ୍ଲାନ ପ୍ରସ୍ତୁତ କରନ୍ତୁ।
ଶ୍ରମିକମାନଙ୍କୁ ୧୫ ଦିନ ମଧ୍ୟରେ ଅର୍ଥ ମିଳିବା ଦରକାର। ବିଳମ୍ବ ହେଲେ ଏଥିପାଇଁ କ୍ଷତିପୂରଣ ଦେବାର ପ୍ରାବଧାନ କରାଯାଉ। ଅଡିଟ ଓ ଲୋକପାଳ ନିଯୁକ୍ତିରେ ବିଳମ୍ବ ଯୋଗୁ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଦିଆଯାନି। ଏପରି କରି ସେମାନଙ୍କୁ ଦଣ୍ଡ ଦିଆଯାଉଛି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୋନିଆ କହିଛନ୍ତି। ସୋନିଆଙ୍କ ଏପରି ଦାବିର ଜବାବ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଗିରିରାଜ ସିଂହ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦେଇଛନ୍ତି। ସୋନିଆଙ୍କ ତଥ୍ୟ ସତ୍ୟତା ଠାରୁ ବହୁଦୂରରେ ବୋଲି ସେମାନେ ଦାବି କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, “ମାନନୀୟ ସଦସ୍ୟ ଯେଉଁ ସବୁ ତଥ୍ୟ ଦେଇଛନ୍ତି ଏହା ସତ୍ୟ ଠାରୁ ବହୁ ଦୂରରେ। ୨୦୧୩-୧୪ରେ ମନରେଗା ବଜେଟ ୩୩ ହଜାର କୋଟି ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଏହା ୧.୧୨ ଲକ୍ଷ କୋଟିରେ ପହଞ୍ଚିଛି। ତେଣୁ ଆମକୁ ଆଇନା ଦେଖାଇବା ଦରକାର ନାହିଁ।”
ଅନୁରାଗ ଠାକୁର ମନରେଗା ପ୍ରସଙ୍ଗରେ ସୋନିଆ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ୟୁପିଏ ସରକାର ଅମଳରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ମୋଦି ସରକାର ମୂଳପୋଛ କରିଛନ୍ତି। ମୋଦିଙ୍କ ଶାସନ କାଳରେ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ସିଧାସଳଖ ଜନଧନ ଆକାଉଣ୍ଟରେ ମିଳୁଛି।”

nis-ad
Leave A Reply

Your email address will not be published.