ସୁନ୍ଦରଗଡ଼ଠାରେ ଜିଲ୍ଲା ସଂସ୍କୃତିଭବନ ଉଦଘାଟିତ

ସୁନ୍ଦରଗଡ଼ ( ୨୮/୦୩) : ସୁନ୍ଦରଗଡ଼ ସଦରମହକୁମାଠାରେ ଖୋଲିଛି ‘ଜିଲ୍ଲା ସଂସ୍କୃତି ଭବନ’। ସୋମବାର ଦିନ ସୁନ୍ଦରଗଡ଼ ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏହି ଭବନର ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହଯୋଗରେ ନିର୍ମାଣ କରାଯାଇଥିବା ଜିଲ୍ଲା ସଂସ୍କୃତି ଭବନ ପରସରରେ ୩୭୫ ଆସନ ବିଶିଷ୍ଟ ଏକ ଅଡିଟୋରିୟମ ବା ପ୍ରେକ୍ଷାଳୟ ରହିଛି। ଏଠାରେ ସ୍ଥାନୀୟ କଳାକାରମାନେ ସେମାନଙ୍କର କଳା ପରିବେଷଣ କରିବାର ସୁଯୋଗ ପାଇବେ। ସ୍ଥାନୀୟ ଲୋକକଳା, ସଂସ୍କୃତି ଏବଂ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ଆୟୋଜନ କରାଯିବ।

ଜିଲ୍ଲା ସଂସ୍କୃତି ଭବନ ଉଦଘାଟନ ପରେ ଅଡିଟୋରିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଯୋଗ ଦେଇଥିଲେ।

ଏହି ଅବସରରେ ମାନ୍ୟବର ବିଧାୟିକା କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାର କଳାକାରମାନଙ୍କର ଅନେକ ଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ଏହି ଜିଲ୍ଲାର ସମୃଦ୍ଧ ଆଦିବାସୀ ନୃତ୍ୟ, ଗୀତକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟ କରାଇବାରେ ଏହି ସଂସ୍କୃତି ଭବନ ସହାୟକ ହୋଇପାରିବ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାଏକ କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାର କଳା, ସଂସ୍କୃତି ଅନନ୍ୟ। ଏହି ଜିଲ୍ଲାରେ ଅନେକ ପ୍ରତିଭାବାନ କଳାକାର ଅଛନ୍ତି। ଜିଲ୍ଲା ସଂସ୍କୃତି ଭବନ ହେବା ଫଳରେ ସୁନ୍ଦରଗଡ଼ର କଳା ଓ ସଂସ୍କୃତି ଅଧିକ ପ୍ରସାରିତ ହୋଇପାରିବ। ଆମ କଳାକାରମାନେ ମଧ୍ୟ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ପାରିବେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ଶ୍ରୀମତୀ ସାଗରିକା ନାଥ, ସୁନ୍ଦରଗଡ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ପୌରପାଳିକାର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ କୁଲଦୀପ ଖାଖା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ଅନନ୍ତ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ପାଠଗାର ରହିଛି। ଏହି ପାଠାଗାର ସପ୍ତାହରେ ୬ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା୩୦ ପର୍ଯ୍ୟନ୍ତ ଖୋଲା ରହୁଛି। ସୁନ୍ଦରଗଡ଼ ବହି ପଢ଼ ଅଭିଯାନ ଅଧୀନରେ ଏହି ପାଠାଗାରରେ ବିଭିନ୍ନ ପ୍ରକାରର ବହି ରହିଛି।

nis-ad
Leave A Reply

Your email address will not be published.