ଅନ୍ୱେଷଣ ଶିକ୍ଷକ ସଂଗଠନର ମାସିକ ବୈଠକ

ଦାରିଙ୍ଗବାଡ଼ି (୨୭/୩) : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବୁଡାଗୁଡ଼ା ଅଞ୍ଚଳରେ ଥିବା ଦାରିଙ୍ଗବାଡ଼ି, କୋଟଗଡ଼ ଓ ବାଲିଗୁଡ଼ା ବ୍ଳକର ୬ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ଗଠନ ହୋଇଥିବା ଅନ୍ୱେଷଣ ଶିକ୍ଷକ ସଂଗଠନର ମାସିକ ବୈଠକ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ସଂଗଠନର ମୁଖ୍ୟ ଉଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସାମାଜିକ କାର୍ଯ୍ୟ କରିବା ନେଇ ଗଠିତ ହୋଇଛି । ଏଥିରେ ୬ଟି ଉଚ୍ଚ ବିଦ୍ୟାଳୟ ତିଲୋରୀ ,ବୁଡାଗୁଡ଼ା, ପାରିଗଡ଼,ଅଲିମାହା, ପକାରି ଓ ଋତୁଙ୍ଗିଆର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ଏହି ବୈଠକରେ ବାର୍ଷିକ କାର୍ଯ୍ୟ ଖସଡ଼ା ନେଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ନିଷ୍ପତ୍ତି ହୋଇଥିବା ଆସନ୍ତା ଉତ୍କଳ ଦିବସ ପାଳନ ଅବସରରେ ବୁଡାଗୁଡ଼ା ଠାରେ ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଶିକ୍ଷକ ସଂଗଠନ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ସଫଳ ନେଇ ଆଲୋଚନା କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ ତଥା ବିଜ୍ଞାନ ଶିକ୍ଷାର ପ୍ରସାର ଓ ପ୍ରଚାର ପାଇଁ ରାତ୍ର ଆକାଶ ପର୍ଯ୍ୟବେକ୍ଷଣ ,ବିଜ୍ଞାନ ପ୍ରଦର୍ଶନୀ ,ବନ ମହୋତ୍ସବ ଓ ଶୀତ କାଳୀନ ଶିବିର ଭଳି ରାତ୍ର କୈନ୍ଦ୍ରିକ କାର୍ଯ୍ୟକ୍ରମ କରିବା ନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଋତୁଙ୍ଗିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାମଲ , ପାରିଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ତିଲୋରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧରଣୀଧର ଦାସ, ପକାରି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ବିପିନ ବିହାରୀ ସାହୁ ପ୍ରମୁଖ ଆଲୋଚନାରେ ନେତୃତ୍ୱ ନେଇ ସଫଳ କରିଥିଲେ । ସମ୍ବାଦ-ଆମ ଓଡ଼ିଶା ଦାରିଙ୍ଗବାଡ଼ି ପ୍ରତିନିଧି ପ୍ରେମଚାନ୍ଦ ସିଂ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ପକାରି ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଦେଵବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

nis-ad
Leave A Reply

Your email address will not be published.